ହେ କବିତା
ହେ କବିତା
ମନେ ମୋର ଛବି ଆଙ୍କିଥିଲି ନିଆରା,
ମନେ ମନେ ଭାବୁଥିଲି କେତେ କଥା,
କିଏ ତମେ ସତେ କଲ କିମିଆ,
ଖୋଜୁଛି ଆଜି ମୁଁ ସାରା ଦୁନିଆଁ ।
ତମେ ସତେ ବାସ୍ତବ, ନା' ଚିତ୍ରକଳା
ତମେ ମୋ କଳ୍ପନା, ନା' ମୋ ପ୍ରିୟା
ଭାବି ଭାବି କେତେ ରୋମାଞ୍ଚକ କଥା,
ଏମିତି ବିନିଦ୍ର ଭାବେ ପାହିଯାଏ ରାତିଟା ।
କୋମଳ ସ୍ୱର ତମ, ସୁନ୍ଦର ତନୁ,
ଭାବୁଛି ତୁମ କଥା, ରାତିସାରା ମୁଁ,
ତୁମେ ମୋ ପ୍ରେମିକା, ହେ କବିତା,
କେମିତି ଖୋଲି କହିବି ମନ କଥା ।
ହେ କବିତା
ତମେ କେବେ କେବେ ମୋ ମାନସୀ,
କେବେ କେବେ ତମେ ବିରହି ପ୍ରିୟା,
କେତେବେଳେ ତମେ ଉତ୍ସାହ ଦାୟିନୀ,
ତ କେବେ କେବେ ହୁଅ ତମେ ଅଭିମାନିନୀ ।
ତୁମେ କେବେ ଦୁର୍ଗା, କେବେ କାଳୀ,
କେବେ ସଜାଏ ସାଧବ ବୋହୁ ମୋ ତୁଳୀ,
ଅନେକ ରୂପରେ ତୁମକୁ ମୁଁ ଦେଖେ,
ଯାହା ଚିନ୍ତଇ ମନେ ତାହା ଲେଖେ ।