ହେ କବିତା ତୁମେ
ହେ କବିତା ତୁମେ
ହେ କବିତା ତୁମେ ମୁଗ୍ଧ ମାନସର
ମରମ ଭିତର କଥା,
କେବେ ପ୍ରେମ ପୁଣି ବିଦ୍ରୋହୀ ହୃଦରେ
ଜଳନ୍ତା ନିଆଁର ବ୍ୟଥା ।
ହେ କବିତା ତୁମେ ନୂଆ ଫଗୁଣର
ରଙ୍ଗ ବୋଳା ଦରହାସ,
କେବେ ସେ ନିରବ ଅଧରର ଭାଷା
ସ୍ମୃତି ଭିଜା ଇତିହାସ ।
ହେ କବିତା ତୁମେ କ୍ଳାନ୍ତ ପଥିକର
ସୁଶୀତଳ ପାନ୍ଥଶାଳା,
ନିର୍ଝରିଣୀ ତୁମ ଲିଭାଇ ଦିଏ ଯେ
ଶତ ନିଦାଘର ଜ୍ବାଳା ।
ହେ କବିତା ତୁମେ ଜ୍ଞାନର ଅସୀମ
ଆକାଶର ଛତ୍ର ଛାୟା,
ତୁମେ ଅନୁଭୂତି ଜୀବନ ନଦୀରେ
କୂଳ ଖୋଜୁଥିବା ରାହା ।
ହେ କବିତା ତୁମେ ଭାବ ମନ୍ଥନରୁ
ନିର୍ଗତ ପୀୟୂଷ ଧାରା,
ମୃତ୍ୟୁ ଯାଏ ହାରି ଶୋକ ନିଏ ହରି
ଶବ୍ଦ ସଂଜୀବନୀ ଧାରା ।
ହେ କବିତା ତୁମେ ଶ୍ରାବଣ ରାତିରେ
ମନେ ଜଳୁଥିବା ନିଆଁ
ଗୋଧୂଳି ସେପାଖେ ହଜି ଯାଇଥିବା
ଘନ କୁହୁଡ଼ିର ଧୂଆଁ ।
ହେ କବିତା ତୁମେ ବିରହୀ ଆଖିରେ
ଲୁହ ଭିଜା ବେଳାଭୂମି
ପୀଡ଼ିତ ଆଖିରୁ ଝରି ପଡୁଥିବା
ବେଦନା ବିଧୁର ଉର୍ମି ।
ହେ କବିତା ତୁମେ ରୁକ୍ଷ ସମାଜର
କମନୀୟ ପ୍ରତିବିମ୍ବ
ଅବସାଦ ଭରା ଭଙ୍ଗା ହୃଦୟରେ
ଭରିଦିଅ ତୁମେ ଦମ୍ଭ ।
ହେ କବିତା ତୁମେ ଛନ୍ଦବଦ୍ଧ ଏକ
ଜୀବନର ଗୀତା ସାର
ତୁମେ ହିଁ ଜୀବନ ତୁମ ବିନା ସତେ
ଚଉଦିଗ ଅନ୍ଧକାର ।
ହେ କବିତା ତୁମେ ଅବ୍ୟକ୍ତ କୋହର
ସୁଲଳିତ ଆଶ୍ୱାସନା
ତୁମେ ଏକା କ୍ଷୀଣ ହତାଶ ଜୀବନେ
ପୂଜା ବ୍ରତ ଉପାସନା ।