ହେ ଈଶ୍ୱର
ହେ ଈଶ୍ୱର
ହେ ଈଶ୍ୱର !
ଝାପସାଅ ବିଭେଦର ଗାର ,
ମୋ ପରି ଶତ ଶତ ଶିଶୁ
ବିକଳରେ କରନ୍ତି ଚିତ୍କାର ।
ଦାରିଦ୍ର୍ୟତା କରଇ ପ୍ରହାର,
ପେଟ ମୋର କ୍ଷୁଧାରେ ଆତୁର,
ଲୋଡାନାହିଁ ଖିରି ପୁରି ମିଠା
ମିଳୁ ମାତ୍ର ମୁଠାଏ ଆହାର ।
ପାଶେ ମୋର ଶୂନ୍ୟ ପରିବାର,
ଅପହଞ୍ଚ ଇଲାକାରୁ
ଫେରାଅ ମୋ ମାଆ
ସେହି ମୋର ସୁଖର ସଂସାର ।
ଉଚ୍ଚ ଶିକ୍ଷା ନ ମିଳିଲେ ନାହିଁ,
ଏତିକି ଶିକ୍ଷିତ କର
ଜନ କଲ୍ୟାଣ ନିମନ୍ତେ
ଶିକ୍ଷା ମୋର ଲାଗି ପାରିବଇଁ ।
ଲୋଡା ନାହିଁ ରାଜ ସାଜ ସଜ୍ଜା,
କପଡା ଖଣ୍ଡିକ ମିଳୁ
ସଂସ୍କାରୀ କନ୍ୟାଙ୍କ ଭଳି
ଲୁଚାଇବି ମୋ ଦେହର ଲଜ୍ଜା ।
ଆଉ ଏକ ଶେଷ ନିବେଦନ,
ଦେଖ ସବୁ ଗରିବ ଶିଶୁଙ୍କୁ
ମୋ ଭଳି ନ ଭୋଗନ୍ତୁ କେହି
ସର୍ବ ସୁଖେ ବିତାନ୍ତୁ ଜୀବନ ।
