ହେ ଗୁରୁ ତୁମେ ମଙ୍ଗଳମୟ
ହେ ଗୁରୁ ତୁମେ ମଙ୍ଗଳମୟ
ହେ ଗୁରୁ ତୁମେ ମଙ୍ଗଳମୟ
ଚେତନେ ଭର ଶକତି
ଅଜ୍ଞାନ ତିମିର କରିଦେଇ ଦୂର
ଦେଖାଅ ଉତ୍ତମ ଗତି ।
ତୁମ ଆଶିଷରେ ଜନେ ସଂସାରରେ
ଶିକ୍ଷିତ ପରିମାର୍ଜିତ
ଭାଷା ଦକ୍ଷତାରେ କର୍ମ କୁଶଳରେ
ନିପୁଣତା ପ୍ରକାଶିତ ।
ଅସୀମ ଧୈର୍ଯ୍ୟ ସୁଗୁଣର ତେଜ
ନିଜଠାରେ କେନ୍ଦ୍ରୀଭୂତ
ବାଣ୍ଟି ଦେଇଥାଅ ଯିଏ ଗୁରୁ ମାନି
ବୁଝଇ ଶିକ୍ଷା ମହତ ।
ଅସାଧ୍ୟ ସାଧନ ଦକ୍ଷ ନିପୁଣ
ଗଢ଼ିବାରେ ଥାଏ ଧ୍ୟାନ
ଝଡ଼ଝଞ୍ଜା ଯେତେ ଆସିଲେ ବି ପଥେ
କରମୁ ହାରେନି ମନ ।
ମରୁଦ୍ୟାନରେ ବି ତୁମେ ଓଏସିସ୍
ସାଜିଥାଅ ନିଜ ଶ୍ରମେ
ତୁମ ବିନା କେହି ଜିତି ପାରିବେନି
କେବେ କୌଣସି ଉଦ୍ୟମେ ।
ସାଜି ଜ୍ଞାନବୃକ୍ଷ ମିଠା ପକ୍ୱଫଳେ
ସଭିଙ୍କ ଅଞ୍ଜଳି ଭରି
ଅତ୍ର ତତ୍ର ସବୁଠାରେ ତୁମେ ପରା
ଖେଳାଅ ଖୁସି ଲହରୀ ।
ତୁମ ଚରଣରେ କୋଟି ପ୍ରଣିପାତ
କରେ ମୁଁ ଏକ ଅଜ୍ଞାନ
ଜ୍ଞାନଚକ୍ଷୁ ଖୋଲି ସୁପଥରେ ନିଅ
ଏହି ମୋର ନିବେଦନ ।