ହେ ବାପା
ହେ ବାପା
ବାପା ତୁମେ ମୋର
ବିଶ୍ୱସ୍ତ ସାଥିଟେ
ଜୀବନର ପ୍ରତିଟି ପାହାଚରେ
ସଂଘର୍ଷର ପ୍ରତିଟି ରକ୍ତବିନ୍ଦୁରେ
ସ୍ୱାଭିମାନର ଉଚ୍ଚ ଶିଖରରେ l
କେତେ କରିଛି ମୁଁ ଅନୁଭବ
ତୁମ ନୀରବ ସଂଘର୍ଷର ଅନ୍ତଃସ୍ୱର
କେତେ ଯେ ଲୁଚାଇ ରଖିଛ ତୁମେ
ମନରେ ଅମାପ ଦୁଃଖ ସାଗର l
ହସିହସି ତୁମେ କେତେ ଯେ ପିଇଛ
ହଳାହଳର ବିଷ
ସହି ଯାଇଅଛ ସବୁ ଝଡ ଜଞ୍ଜାଳ
ଦେଖିବାକୁ ତମ ସଂସାରର ଟିକେ ସୁଖ l
ହାତ ଧରି ବାପା ତୁମେ ଯେ ମୋତେ
ଚାଲିବା ଶିଖାଇଛ
ସରଗ ଚାନ୍ଦ ଭାବି ମୋତେ ତୁମେ
କେତେ ଯେ କାନ୍ଦରେ ବସାଇଛ l
ବାଟବଣା ହୋଇ
ଅବାଟରେ ଗଲେ
ଭଲ ବାଟ ଦେଖାଇଛ
ଅମାନିଆ ହେଲେ ବୁଝେଇ ଦେଇଛ
ଶାସନ ବି ତୁମେ କରିଅଛ l
ଭଲ ମଣିଷଟେ କରିବା ପାଇଁକି
କେତେ ସ୍ବପ୍ନ ଦେଖିଅଛ
ଖରା ବର୍ଷାକୁ ଯେ ସମାନ କରିଣ
ଜୀବନ ପଥେ ଚାଲିଅଛ ।
ବାପା ପାଇଁ ପିଲା ସମାଜ ଆଗରେ
ପରିଚୟ ପାଇଥାଏ
ବାପା ଥିଲା ପିଲା ଅମାପ ସାହସ
ସଭାରେ ହାରି ନ ଥାଏ l
ଛାଇସମ ସିଏ ପଛରେ ଥାଆନ୍ତି
ସବୁ ସମସ୍ୟା ପଥରେ
ପର୍ବତ ସମ ଛିଡା ହେଇଥାନ୍ତି
ସବୁ ବିପଦ ଆଗରେ l
ଦୁନିଆ ଭିଡରେ ବାପାର ମୂଲ୍ୟ
ଅଟେ ଯେ ଅମୂଲ ମୂଲ
ତାଙ୍କ ଅବଦାନ ଅଟେ ଯେ ଅମାପ
ଈଶ୍ୱର ସମ ତୁଲ୍ୟ l