ହାରିବନି କେବେ ହେଲେ
ହାରିବନି କେବେ ହେଲେ
କଇଁଛ ଗୋଟିଏ ସୁଖେ ଖେଳୁଥାଏ
ଗାଆଁ ପୋଖରୀର ଜଳେ,
କୂଳରେ ଥାଇକି ମଜା ନେଉଥିଲେ
ତାକୁ ଚାହିଁ ପିଲା ଦଳେ ।
ଖିଲି ଖିଲି ହୋଇ ହସି ଉଠୁଥିଲେ
ବେଙ୍ଗୁଲିର ଡିଆଁ ଦେଖି,
ଅଚାନକ ଏକ ଧଣ୍ଡ ଆସିଗଲା
ପଡ଼ିଲା ତେଣେ ତା' ଆଖି ।
ଆଁ ଆଁ କରି ସାପ ମାଡ଼ିଗଲା ସେଇ
ବେଙ୍ଗକୁ ଖାଇବା ପାଇଁ,
ଖୋଳରେ କଇଁଛ ଦେହକୁ ପୂରାଇ
ଆଗକୁ ଆସିଲା ଧାଇଁ ।
ତୁଠରୁ ପିଲାଏ ଗୋଡ଼ି ଫୋପାଡ଼ିଲେ
ଧଣ୍ଡ ପଳାଇଲା ଡରି,
ଜୀବ ପ୍ରତି ଯେଣୁ ଦୟା ଭାବ ଥିଲା
ଜୀବନେ ନ ଦେଲେ ମାରି ।
ବେଙ୍ଗୁଲିର ପ୍ରାଣ କଇଁଛ ରଖିଲା
କଇଁଛ ଜୀବନ ପିଲେ,
ସତର୍କ ରହିକି କାର୍ଯ୍ୟ କରୁଥିଲେ
ହାରିବନି କେବେ ହେଲେ ।
