ହା ଅନ୍ନ ହା ଅନ୍ନ
ହା ଅନ୍ନ ହା ଅନ୍ନ
ଥାଳିଆରୁ ଭାତ ମଣିଷର ହାତ
ନେଇ ପାଟିରେ ଭରଇ
ରୁଚିକର କେତେ ବ୍ୟଞ୍ଜନ ସହିତେ
ଆନନ୍ଦେ ତାହା ଭୁଞ୍ଜଇ
ତାର ଭୋକ ମେଣ୍ଟାଇବା ପାଇଁ
କେଉଁଠୁ ଆସିଲା କିପରି ହୋଇଲା
ହେଲେ ତାକୁ ଜଣା ନାହିଁ ।
କରି ଏକାକାର ଲହୁ ଲୁହ ତାର
ଭୁଲି ସବୁ ସୁଖ ଶିରୀ
ଜଗତର ଭୋକ ମେଣ୍ଟାଏ କୃଷକ
ଦୁଃଖ କଷଣ ଆଦରି
ଦିଏ ଦୁନିଆଁରେ ହସ ଭରି
ଦୁନିଆଁ ଆଗରେ ମଳିମୁଣ୍ଡିଆରେ
ଗଣନ୍ତି ଗଣନା କାରି ।
ମେଞ୍ଚା ମେଞ୍ଚା ସୁଖ ଟଙ୍କା ଫିଙ୍ଗି ଦେଖ
ପାଆନ୍ତି ବିତ୍ତ ପ୍ରଭାବି
ସେ ସୁଖକୁ ଦିନେ ଚାହିଁ ନାହିଁ ମନେ
ସିଏ ତ ବିତ୍ତ ଅଭାବି
ନିଜ କର୍ମକୁ ସେ ଇଷ୍ଟ ଭାବି,
ମାଟି ଓ କାଦୁଏ ଘାଣ୍ଟି ସଦା ହୁଏ
ମାଟି ମା ଚରଣ ସେବି ।
ଅନ୍ତର ବେଦନା ତା ଦୁଃଖ ଯାତନା
ଦୁନିଆଁରେ କେ ବୁଝେନା
ସମୟ ଆସିବ ଥାଳି ଶୂନ୍ୟ ଥିବ
ଥିବ ଘରେ ଟଙ୍କା ସୁନା
କାହା ଘରେ ନ ଥିବଟି ଦାନା
ହା ଅନ୍ନ ହା ଅନ୍ନ କହୁଥିବ ପ୍ରାଣ
ଭୋଗି ଖାଦ୍ୟ ବିଡମ୍ବନା ।