ବାପା ଓ ବର୍ଷା
ବାପା ଓ ବର୍ଷା
ଭୂଲ୍ ସବୁକୁ ସୁଧାରିବା ପାଇଁ
ଘଡ଼ଘଡି ଭଳି ଗର୍ଜି ତମେ ମେଘ ଭଳି ବର୍ଷି ଯାଉଥିଲ,
ଆଜି କିନ୍ତୁ ତାରାଟେ ସାଜିଛ ତମେ ଦୂର ଆକାଶରେ।
ଭୁଲ୍ ଠିକ୍ ର ନିଷ୍ପତ୍ତି ନେଲାବେଳେ,
ମୁଁ ତୁମକୁ ଖୋଜେ ଆଜି ବାଦଲ ଉହାଡେ।
ବର୍ଷାରେ ଫୁଲି ଉଠିଥିବା ଶୁଖିଲା ନଈର ଜଳାର୍ଣ୍ଣବ ଛାତି ପରି,
ତମ ହୃଦୟଟା ବି ସ୍ୱୟଂ ସମ୍ପୂର୍ଣ୍ଣ ,ଭଲ ପାଇବାର ବର୍ଷା ଜଳରେ
ଆଦୌ କାନ୍ଦି ପାରୁନଥିବା ତମର ଛଳଛଳ ଆଖି ଦୁଇଟି
କେବେବି ଉଛୁଳାଏନି ଲୁହର ପାଣି ବୁନ୍ଦାଟିଏ
ତମ ଧୈର୍ଯ୍ୟର ନଦୀବନ୍ଧ ଏତେ ଶକ୍ତ ଯେ
ଶହେ ଶ୍ରାବଣର ଜଳଧାରା ଵି ଭାଙ୍ଗି ପାରେନି ସେ ବନ୍ଧକୁ।
ସଂସାରର ଯାବତୀୟ କୁଆପଥର ମାଡ଼ ସହିବାପରେ,
ଉଜୁଡା କିଆରୀରେ ତଥାପି ବଞ୍ଚିଥିବା ବଳକା ଫସଲ ତମେ
ଘନଘୋର ଅନ୍ଧାରରେ ବିଜୁଳିର ଚମକ ତମେ
ସବୁ ନିରାଶା ଭିତରେ ଆଶାର ଝଲକ ତମେ
ମୋ ମୁଣ୍ଡ ଉପରେ ଏକ ବିଶାଳ କଙ୍କ୍ରିଟ୍ ର ଛାତଟିଏ ତମେ
ଯିଏ ସବୁ ବର୍ଷା ପାଣିକୁ ଅନାୟାସରେ ରୋକିପାରେ
ଆଉ ତମର ସେ ଦମ୍ଭିଲା ଛାତି,
ଜୀବନର ସବୁ କୋହକୁ ଚାପି ଦେଇପାରେ ନିଜଭିତରେ।
ତମେ ବଙ୍କୁଲୀ ବେଣ୍ଟର ବଡ ଛତା,ଶକ୍ତ ମେରୁଦଣ୍ଡ
ମୁଁ ଛୋଟ ଏକ ନହକା ଫୋଲ୍ଡିଂ ଛତାଟେ,
ଯେତେ ବେଶୀ ବର୍ଷା ହୁଏ ସେତେ ବେଶୀ ମନେପଡ଼ ତମେ
ଜୀବନର ଭୟଙ୍କର ଘଡ଼ଘଡି ଶବ୍ଦବେଳେ
ଆଜି ବି ମୁଁ ଖୋଜୁଥାଏ ତମର ସେ ଅଭୟ କୋଳକୁ,
ଛୋଟପିଲାପରି ମୁଣ୍ଡଗୁଞ୍ଜି ଶୋଇଯାଆନ୍ତି ନିଘୋଡ ନିଦରେ
ଏ ବର୍ଷାଋତୁର ଶେଷ ପର୍ଯ୍ୟନ୍ତ!
ବାପା ଏକ ଦମ୍ଭ ଛାତି,ଟାଣ ଛତା ଆଉ କଙ୍କ୍ରିଟ୍ ଛାତଟେ!
ପ୍ରବଳ ବର୍ଷା ରୁ ରକ୍ଷା ପାଇଁ
ୟା ଠୁ ଅଧିକ ଆଉ କଣ ଦରକାର ?
ଦୁନିଆର ସବୁ ବାପା ମାନେ ବୋଧହୁଏ
ଛତା,ଛାତ ଆଉ ଛାତି ର ଏକ ଅପୂର୍ବ ସମାହାର !