STORYMIRROR

Kalandi Rout

Inspirational

3  

Kalandi Rout

Inspirational

ବାପାଙ୍କ ଚଷମା

ବାପାଙ୍କ ଚଷମା

1 min
236

ଛୋଟ ବେଳେ, ତମେ ପିନ୍ଧିଥିବା ପାୱାରବାଲା ଚଷମାକୁ ବାରମ୍ବାର ଟାଣି ଆଣୁଥିଲି ବୋଲି

କହିଥିଲ ସେ ଚଷମା ପିନ୍ଧିବାର ବୟସ ହେଇନି ମୋର

ଆଉ ମତେ କିଣି ଦେଇଥିଲ ଗୋଟେ ରଙ୍ଗୀନ ଚଷମା 

ତାକୁ ପିନ୍ଧିଲା ପରେ ମତେ ଦିଶୁଥିଲା ସବୁ ରଙ୍ଗମୟ


ଆଜି ତମେ କୋଉଠି ବାପା?

ତମ ବିନା ସ୍ୱପ୍ନସବୁ ଫିକା ଫିକା ରଙ୍ଗ ହୀନ!

ତମରି ଆଖିରେ ଦୁନିଆକୁ ଦେଖିବା ଶିଖିଲି ମୁଁ

ଅପୂର୍ବ ସେ ଚଷମାପିନ୍ଧା ଆଖି ଯୋଡ଼ାର ଗାମ୍ଭୀର୍ଯ୍ୟ ଠାଣି!


ଜାଣିଛ ନା, ମୁଁ ସେତେବେଳେ ଭାବୁଥିଲି 

ପାୱାର୍ ମାନେ ବହୁତ ଶକ୍ତି ଅଛି ସେ ଚଷମାରେ 

ଯାହାକୁ ପିନ୍ଧି ତମେ କରିଦିଅ ସବୁ ଅସମ୍ଭବକୁ ସମ୍ଭବ 

ଟିଭିରେ ଦେଖି ଥିବା ସୁପରମ୍ୟାନ ପରି।

ଡାକ୍ତର କହୁଥିଲେ ତମକୁ କୁଆଡେ ଦୂର ଦୃଷ୍ଟି ହେଇଛି,

ସତରେ ତ କେତେ ନିର୍ଭୁଲ ଭାବରେ ଦେଖି ପାରୁଥିଲ ତମେ ମୋର ଦୂର ଭବିଷ୍ୟତ!

 

ବାପାମାନେ କାଳେ କେବେ କାନ୍ଦନ୍ତିନି।

ମୁଁ ଦେଖି ପାରୁଥିଲି ଚଷମା ସେପଟେ ଆଦୌ କାନ୍ଦି ପାରୁ ନଥିବା  

ତମ ଆଖିହଳକ ସବୁବେଳେ ପ୍ରେମରେ ଛଳଛଳ ଢ଼ଳଢ଼ଳ

ଆଉ ଚଷମା ଏପଟେ ମିଛର ଦୁନିଆ, ଛଳନାରେ ଭରପୂର!


ଆଜି ବୁଝିଛି ମୁଁ ବାପାର ମାନେ ଏକ ସଶକ୍ତ 'ମେଟାଲ୍ ଫ୍ରେମ୍' ର

ମୂରବୀପଣିଆ, 

ଯାହା ଦୃଢ଼ ଭାବରେ ବାନ୍ଧି ରଖିଥାଏ କ୍ଷଣ ଭଙ୍ଗୁର କାଚ ଲେନ୍ସର ପରିବାରକୁ।

ଫ୍ରେମ୍ ଟା ସେମିତି ଥାଏ ଖାଲି ପିଢ଼ି ପରେ ପିଢ଼ି କାଚ ବଦଳୁଥାଏ!


ଆଜି ମୁଁ ପାୱାର ର ମାନେ ବୁଝିପାରୁଛି,ବାପା

କାରଣ ମତେବି ଏବେ ପାୱାର ଚଷମା ଲାଗିଛି!

ଆଉ ମୋ ପୁଅ ବି ମୋ ଆଖିରୁ ସେ ଚଷମାକୁ ଟାଣୁଛି!!


#MyDadMyHero 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational