ଜୀବନର ରଥଯାତ୍ରା
ଜୀବନର ରଥଯାତ୍ରା
ଜନମର ଶ୍ରୀମନ୍ଦିର ଠାରୁ ମରଣର ମାଉସୀ ମା ଘର ଯାଏ,
ଏ ଜୀବନ ରଥ ଗଡେ ସମୟର ବଡ଼ ଦାଣ୍ଡ ପରେ।
ଜୀବନ ଅଣଲେଉଟା ରୁକୁଣା ରଥଟେ,
ବାହୁଡି ସେ ଆସିବନି ସୁନାବେଶେ ସଜେଇ ହେବାକୁ।
ଜୀବନର ଅମାରାତି ପାହିଗଲା ପରେ,
ପହିଲି ବରଷା ଭିଜା ମାଟିର ଗନ୍ଧରେ,
ଆଦ୍ୟ ଆଷାଢ଼ର ଆଜି ଶୁକ୍ଳ ଦ୍ବିତୀୟାରେ
ମନ ମୋର ଝୁଲି ଝୁଲି ଝୁମିଯାଏ ପହଣ୍ଡି ବେଳାରେ।
ମୁଁ ଏକ କଦମ୍ବ ବନ ତମର ସେ ଯମୁନା କୂଳରେ,
ମୋ ମନର ଉପବନେ ଫୁଟିଯାଏ ଶତ କଦମ୍ବର ବାସ୍ନା।
ସେ କଦମ୍ବ ବନେ ପୁଣି ରହି ରହି ଶୁଭେ ତୁମ
ଅପୂର୍ବ ସେ ବଇଁଶୀର ସ୍ୱନ।
ଅସ୍ଥିର ମୋ ମନଘୋଡା ଅତି ସେ ଚଞ୍ଚଳ
ଅବାଟରେ ଟାଣି ନିଏ ଏ ଦେହ ରଥକୁ।
ମହାବାହୁ,
ଆସ ଥରେ ସାଜି ତମେ ସାରଥୀ,
ପଥ ପଥପ୍ରଦର୍ଶକ ହେଇ,
ଆଲୋକର ପଥ ଥରେ ଦିଅ ଦେଖାଇ।
ଏ ଦେହ ରଥଟା ମୋର ଭାଙ୍ଗି ଭାଙ୍ଗି ଯାଏ,
ସମୟର ବଡଦାଣ୍ଡ ସରି ସରି ଯାଏ,
ପୂର୍ଣ୍ଣ କର ଏକମାତ୍ର ମନୋରଥ ମୋର,
ଦେହ ମୋର ମାଟି ହେଇ ମିଶିଯାଉ
ତମ ବଡଦାଣ୍ଡର ମାଟିରେ,
ପାଉଥିବି ତମ ରଥ ଚକର ପରଶ
ପ୍ରତି ବର୍ଷ ରଥ ଯାତରାରେ!!
