STORYMIRROR

Kalandi Rout

Abstract

2  

Kalandi Rout

Abstract

ଡ୍ରଇଁ ଖାତାରେ ସୂର୍ଯ୍ୟୋଦୟ

ଡ୍ରଇଁ ଖାତାରେ ସୂର୍ଯ୍ୟୋଦୟ

1 min
137

ଆଜି ରାତି ବାରଟାରେ ତାରିଖଟା ଯିବ ତ ବଦଳି,

ଖାଲି ଯାହା କ୍ୟାଲେଣ୍ଡର ବଦଳିବ ସିନା, ଆଉ ସବୁ ସେଇମିତି ଥିବ

ମଣିଷ ସତରେ କଣ କେବେ ବଦଳେ


ଖବର କାଗଜର ପୃଷ୍ଠା କଣ ବଦଳିଯିବ ଆସନ୍ତା କାଲି

ନା,କାଲି ବି ଖବରକାଗଜର ପୃଷ୍ଠା ମଣ୍ଡନ କରିବ

କୁନ୍ଦୁଲି ଠାରୁ ହାଇଦ୍ରାବାଦ ଯାଏ ଗଣଧର୍ଷଣ

କୋରିଆ ଠୁ ସିରିଆ ଯାଏ ବୋମାବର୍ଷଣ

ନେତା ଦ୍ଵାରା ଜନତାର ଶୋଷଣ

ଆଉ ଜେ.ଏନ.ୟୁ. ରୁ ଜାମିଆଯାଏ ଛାତ୍ର ଆନ୍ଦୋଳନ


ତଥାପି ଲୋହିତ ବର୍ଣ୍ଣା ସୂର୍ଯ୍ୟଟିଏ ଉଇଁ ଆସିବ

କୁନି ଝିଅର ଡ୍ରଇଁ ଖାତାରେ

ନୂଆ ସକାଳଟେ ସାଥିରେ ଧରି 

ଆଖିରେ ଆଖିଏ ସ୍ଵପ୍ନ ଭରି  

ଆକାଶର ଛାତି ପରି ଅନନ୍ତ ଅସୀମ ଆଶା ନେଇ


ଦୁଇ ହଜାର କୋଡିଏ(୨୦୨୦) ବି ଟ୍ୱଣ୍ଟି ଟ୍ୱଣ୍ଟି ମ୍ୟାଚ୍ ପରି ଜଲ୍ଦି ସରିଯିବ

ମୁହୁର୍ତ୍ତ ସବୁ ଦିନ,ମାସ, ବର୍ଷ ପାଲଟିବ

ଦେଖିଥିବା ସ୍ୱପ୍ନ କିଛି ଅଧା ରହିଯିବ

ସମୟଟା ଧାଇଁଯିବ ଜୀବନର ବେଳାଭୂମିପରେ 

ଛାଡିଯିବ ତା'ର ପାଦଚିହ୍ନ

ଫେରିବନି କେବେ ବି ପଛକୁ

କାଗଜର ଡଙ୍ଗା ପରି ଅଫେରା ନଈରେ


ସୂର୍ଯ୍ୟର ତ ଅସ୍ତ ନାହିଁ ଉଦୟ ବି ନାହିଁ

ମଣିଷର ଆଶା ସବୁ ନିତି ମରେ ପୁଣି ଜୀଉଁଥାଏ

ସୂର୍ଯ୍ୟ ସ୍ଥିର ତା ଜାଗାରେ

ମଣିଷ ଟା ଘୁରିବୁଲେ,ଉଦୟ ଅସ୍ତ ହୁଏ


ସବୁ ମଣିଷ ମନର ଡ୍ରଇଁ ଖାତାରେ 

ଉଦୟ ହେଉ ନୂଆ ଏକ ତେଜୋଦୀପ୍ତ ସୂର୍ଯ୍ୟ

କଳଙ୍କର କଳାଦାଗ ଲିଭିଯାଉ ହୃଦୟର କାଗଜରୁ

ପେନସିଲ୍ ର ଦାଗ ପରି କୁନିଝିଅ ରବର ସ୍ପର୍ଶରେ


ଚାଲ,ଆମେ ଆଜି କ୍ୟାଲେଣ୍ଡର ଭଳି ନୂଆ ହେଇଯିବା

ଆତ୍ମ ପ୍ରବଞ୍ଚନାର ଖୋଳପାରୁ ବାହାରି ଆସି

ଖବରକାଗଜ ନୂହେଁ, ଡ୍ରଇଁ ଖାତାର ପୃଷ୍ଠା ଟିଏ ହେବା

ହେଇ ଦେଖ

ଉଉଁଗଲାଣି ନୂଆ ସୂର୍ଯ୍ୟ କୁନିଝିଅର ଡ୍ରଇଁ ଖାତାରେ

ଫୁଲ ସବୁ ଡାକିଲେଣି ମହୁର ମୁହାଣ ଧରି

ଏଇତ ପ୍ରକୃଷ୍ଟ ସମୟ

ଆସ ଆମେ ସାଁବାଳୁଆରୁ ପ୍ରଜାପତି ହେବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract