ରଜ ଦୋଳି
ରଜ ଦୋଳି
ଭୂଲିଗଲ କିବା ସଖୀ ଆମ ଗାଁ ରଜଦୋଳି ଖେଳ?
ରାଧା କୃଷ୍ଣ ସାଜି ଆମେ ଝୁଲୁଥିଲେ ବରଗଛ ତଳେ
ସଂସାର ଖେଳରେ ମାତି ପାସୋରିଲ ଦୋଳିର ଝୁଲଣ।
ଆଜି ବି ସେ ଗଛ ଅଛି ଶହେ ବାତ୍ୟା ସହି,
ହେଲେ ଆଜି ତୁମେ ନାହଁ ଅବା ମୁଁ ନାହିଁ।
ଆଜି କାହିଁ ରଜଦୋଳି କଟମଟ କରୁନାହିଁ ମୋ ଗାଁଆ ଗଛରେ,
ଭାଇ ମୁଣ୍ଡେ ଝଲସୁନି ଭଉଣୀର ସୁନାର ମୁକୁଟ,
ହଜିଗଲା କୋଉଠି ସେ ରଜଦୋଳି ଗୀତ?
ଦେବା ପାଇଁ ରଜର ବାରତା, ଗଜ ନାହିଁ ଆଜି ବନସ୍ତରେ,
ବନସ୍ତ ବି ନାହିଁ ଏଠି ଗଜ କଥା ଅଛି ବହୁଦୂରେ।
ଜୀବନ ବି ଗୋଟେ ରଜଦୋଳି!
ପ୍ରାପ୍ତି ଆଉ ଅପ୍ରାପ୍ତିର ଦୁଇ ବିନ୍ଦୁ ଧାରେ
ଏ ମଣିଷ ଝୁଲୁଥାଏ ଅହରହ ଏଠି,
କେବେ କଟି ଆଉ ପୁଣି କେବେ କୋଳାକୋଳି
କେବେ ଏଠି ପ୍ରେମର ଫୁଆରା ଆଉ କେବେ ବାରୁଦର ଗୁଳି।
ଠିକ୍ ଏଇ ରଜ ଦୋଳି ପରି,
ଯେତିକି ମୁଁ ଧାଉଁଛି ଆଗକୁ
ସେତିକି ବି ପଛକୁ ଫେରୁଛି,
କୋଡୁଛି ଯେତିକି ମୁଁ ମାଡୁଛି ସେତିକି
କାଠଘୋଡା ପରି ଯାହା ଖାଲି ଦୋହଲୁଛି!
ଜୀବନର ଏ ଅପରାହ୍ନରେ,
ଆସ ଆମେ ଆଉଥରେ ଛୋଟ ହେଇଯିବା,
ସଂସାରର ସବୁଭୂଲି ,ଖାଲି ପଡ଼ିଥିବା ଏଇ ଦୋଳିରେ ଝୁଲିବା,
କୃଷ୍ଣ ସାଜି ଝୁଲାଇବି ତୁମକୁ ମୁଁ ଆମ ଗାଁ ବରଗଛ ତଳେ,
ରାଧା ସାଜି ଝୁଲୁଥିବ ତମେ ମୋ ସାଥିରେ,
ଅଫେରା ସେ ସମୟର ଅନନ୍ତ ଦୋଳିରେ!!