STORYMIRROR

Kalandi Rout

Others

4  

Kalandi Rout

Others

ଯା ଉଡି ମୋର ଗୁଡି

ଯା ଉଡି ମୋର ଗୁଡି

1 min
555

ସ୍ଵାର୍ଥର ସୂତାରେ ବନ୍ଧା ଏ ସାରା ସହର

ସେ ସୂତାରେ କହ ତୁ କେମିତି ଉଡ଼ିବୁ,

ଧୂଳି ଧୂସରିତ ଏଇ କୋଠାଭର୍ତ୍ତି ସହରର ସଂକୀର୍ଣ୍ଣ ଛାତରେ?

ମୁଁ ଖୋଜେ ମୋ ପିଲାଦିନ ଧୂଳିଖେଳ ଗୁଡ଼ି ଉଡ଼ା ବେଳ,

ଯାଆ ଉଡ଼ି ମୋର ଗୁଡ଼ି ନଟେଇରୁ ସୂତାକୁ ଛିଡେଇ!


ଯାଆ ଥରେ ଉଡ଼ି ତୁ,

ମୋ ଗାଁର ପାଟର ସେ ଖୋଲା ପବନରେ,

ଦେଖିବୁ ତୁ ହସୁଥିବ ମୋ ଗାଁରେ ଧାନର କିଆରୀ,

ଉଡିଉଡି ଯିବୁ ତୁ ବାଦଲ ଉହାଡେ 

କହିଦବୁ 'ଭାସିଯାଆ' ଭସା ବାଦଲକୁ

ମୋ ଗାଁର ଧାନ ସବୁ ଅମଳ ସରିନି।


ଧାନ କଟା ବିଲେ ଭର୍ତ୍ତି ମାଳ ମାଳ ଚଣାଶାଗ କେତେ,

ସଦ୍ୟ କାକରରେ ଭିଜା କଅଁଳିଆ,ନହୁଲି, ନରମ

ତୋଳିନେବୁ ମୋ ପାଇଁ ତୁ ମନ ଇଛା ଯେତେ।

ଦେଖିବୁ ତୁ ଗାଈର ପିଠିରେ ବସି ଚଢେଇଟେ ଖୁଣ୍ଟୁଥିବ ପୋକ,

ବୁଝି ତୁ ଆସିବୁ ତା'ଠୁ ସିମ୍ବାୟୋସିସ୍ ର ଜଟିଳ ପ୍ରକ୍ରିୟା

ସରଳ ଭାଷାରେ ଆସି ବୁଝାଇବୁ ଦଙ୍ଗାକାରୀ ଏ ସହରୀ ମଣିଷମାନଙ୍କୁ,

ଜାତିଧର୍ମ ସବୁଭୂଲି କରିହେବ ସହଜରେ ଶାନ୍ତି ସହାବସ୍ଥାନ।


ମୋ ଗାଁର ଧଡି ବୁଢ଼ା 

ସୂତାପରି ସରୁଅଣ୍ଟା ଭଙ୍ଗା ମେରୁଦଣ୍ଡ,

ମନ ତା'ର ଉର୍ଦ୍ଧ୍ବମୁଖୀ ଗୁଡ଼ି ପରି ହାଲୁକା ପ୍ରଚଣ୍ଡ।

ଶିଖି ତୁ ଆସିବୁ ତା'ଠୁ ଜୀବନକୁ ଜୀଇଁବାର କଳା

ଧନ ନାହିଁ ମନ ବଡ଼ ବିଶାଳ ହୃଦୟ!

ଅନୁଭବ କରିବୁ ତୁ ମର୍ମେମର୍ମେ ତା'ର ବିଶାଳତା,

ଆଣିଦବୁ ମତେ ତା'ର ଟୋପାଏ ନିସ୍ଵାର୍ଥପଣ

ଆଉ ଧାନ ପରି ଧାପେ ଅଭିଜ୍ଞତା!


ଆଜି ଏଠି ରାଶି ରାଶି 'ରାଶିଲଡୁ' ମୋ ରାଶିରେ ନାହିଁ

ଦେଖିବୁ ତୁ ସେଠି ଯାଇ ମୋ ଗାଁର ମକର ମେଳାରେ

ମୋ ମାଆ ହାତ ତିଆରି କେତେ ରାଶିଲଡୁ

ତା'ର ଭଲପାଇବା ଗୁଡ଼ରେ ସବୁ ଜୁଡୁବୁଡୁ

ଆଣି ଦବୁ ସେ ଲଡୁରୁ ମୋ ପାଇଁ ତୁ ଗୋଟେ।

ଗୋବରରେ ଲିପାପୋଛା ମୋ ଗାଁର ପୂଜ୍ୟ ଧାନଖଳା,

ସେ ଖଳାର ମଧ୍ୟ ସ୍ଥଳେ ମେରି ଅଗ୍ରେ ଝୁଲୁଥିବ ଧାନକେଣ୍ଡାଟିଏ

ପୂଜା ହେଉଥିବ ସେଠି ମକର ଚାଉଳ

ମଥାନତ କରି ତୋର କରିବୁ ପ୍ରଣାମ।


ମୁଁ ବି ସତେ ହେଇଯାନ୍ତି ତୋପରି ଗୁଡ଼ିଟେ

ଉଡିଯାଆନ୍ତି ମୁଁ ଏଇ ସହରର ସଂକୀର୍ଣ୍ଣତା ଛାଡ଼ି,

ଆଉ କେବେ ଫେରିବିନି ଏ ସହରେ ଥରେ

ଯେବେ ଯାଏ ଆସିନି ସଂକ୍ରାନ୍ତି ଏଠି ମଣିଷ ମନରେ,

ଗୁଡିପରି ଉର୍ଦ୍ଧ୍ବମୁଖୀ ହୋଇନି ତା ମନ,

ଯେବେଯାଏ ହୋଇନି ତା ବୁଦ୍ଧି ଆଉ ଚୈତନ୍ୟର ଉତ୍ତରାୟଣ!!!


Rate this content
Log in