ଗୁରୁ
ଗୁରୁ


ପ୍ରଥମେ ମାତା ପିତା ଅଟନ୍ତି ଗୁରୁ
ଦ୍ୱିତୀୟରେ ଶିକ୍ଷାଗୁରୁ
ଜଗତେ ଗୁରୁ ନାମ ରହିଛି ଅମର
ତୃତୀୟରେ ଦୀକ୍ଷାଗୁରୁ ।
ଗୁରୁ ବ୍ରହ୍ମଜ୍ଞାନୀ ଆନନ୍ଦ ପ୍ରଦାତା
ବହନ୍ତି ସେ ଯୋଗକ୍ଷେମ
ତାଙ୍କ ପଦାର ବିନ୍ଦେ କୋଟି ପ୍ରଣାମ
ସଦା କରନ୍ତି କଲ୍ୟାଣ।
ଈଶ୍ୱରଙ୍କ ନିକଟତର କରାନ୍ତି
ଉପଯୁକ୍ତ ଶିକ୍ଷାଦେଇ
ଗୁରୁ ହିଁ ଭବସାଗରର ନାଉରୀ
ତତ୍ତ୍ୱ ଦିଅନ୍ତି ବୁଝାଇ ।
ଗୁରୁ ବିନା ଏ ଜୀବନ ଲାଗେ ଶୂନ୍ୟ
ସନ୍ଦେହ କରନ୍ତି ଦୂର
ଅସ୍ଥିର ମନ ସ୍ଥିର କରାଇବାରେ
ଗୁରୁ ହିଁ ମୁଖ୍ୟ ଆଧାର ।
ଗୁରୁ ତୁମେ ଜଗତର ମୂଳାଧାର
ଅଖଣ୍ଡ ଶକ୍ତି ତୁମର
ଜ୍ଞାନ ଆତ୍ମ ତତ୍ତ୍ୱ ଗୁରୁ ନାମେ ସାର
ଜ୍ଞାନ ଅଞ୍ଜନ ସେମୋର ।
ସତ୍ୟ ଧର୍ମ ପଥେ ନିଅନ୍ତି ଚଲାଇ
ଅହିଂସା ପଥ ଦେଖାନ୍ତି
ଶାନ୍ତି ପ୍ରେମ ଶ୍ରଦ୍ଧା ପ୍ରାଣରେ ତ ଭରି
ଦିବ୍ୟ ତରଙ୍ଗେ ଖେଳାନ୍ତି ।
ଅଜ୍ଞାନ ଅନ୍ଧରାକୁ କରାନ୍ତି ଦୂର
ଜ୍ଞାନ ଆଲୋକ ଦେଖାଇ
ତାହାଙ୍କୁ ଗୁରୁ ପଦ ମିଳିଥାଇ
ଯେଉଁ ବାଣୀ ସତ୍ୟ ଥାଇ ।
ଆଦର୍
ଶ ଜୀବନ ଗଠନ କରାନ୍ତି
ସାଧନା ତତ୍ତ୍ୱ ମନ୍ଥନ
ଗୁରୁଙ୍କ ପ୍ରବଚନ ସହିତ ଦର୍ଶନ
ଶିଷ୍ୟ ଉନ୍ନତ ଜୀବନ ।
ଗୁରୁ କୃପା ଦ୍ଵାରା ଶିଷ୍ୟ ଶୀର୍ଷ ସ୍ଥାନ
ହୁଏ ଉତ୍ତମ ସନ୍ତାନ
ଉତ୍ତମ ଗୁରୁ ଉତ୍ତମ ଉପାସନା
ଶିକ୍ଷା ତାଙ୍କରି ଦାନ ।
ଗୁରୁ ସାନିଧ୍ୟରେ ହୃଦୟ ପ୍ରସନ୍ନ
ମନୁଯାଏ ଡରଭୟ
ସବୁ ଦୁଃଖ ଗୁରୁ ନିଅନ୍ତି ହରାଇ
ତାଙ୍କପାଦେ ମୋରଲୟ ।
ଜୀବନରେ ଗୁରୁ ଏକାନ୍ତ ଜରୁରୀ
ତାଙ୍କପଥ ଅନୁସରି
ନୈତିକ ଚରିତ୍ର ଗଠନ ଶିଖାଇ
ସଂସାରୁ କରାନ୍ତି ପାରି ।
କର୍ମଫଳକୁ ଗୁରୁ କରନ୍ତି ବହନ
ସର୍ବଦା ପରୀକ୍ଷା କରି
କ୍ଷୀରରୁ ଘିଅ ପରି ଶିଷ୍ୟକୁ ଗଢ଼ାନ୍ତି
ଗୁରୁଙ୍କ ମହିମା ଭାରି ।
ଏକଲବ୍ୟ ଓ ଅର୍ଜ୍ଜୁନ ମହାବୀର
ଗୁରୁକୃପାରେ ଅମର
ଜଗତେ ଗୁରୁ ନାମ ରହିଛି ଅମର
ଗୁରୁ ଦୟାର ସାଗର ।
(ମନ୍ତ୍ର ମୋର ଗୁରୁ ବାକ୍ୟ
ପୂଜା ମୋର ଗୁରୁ ମୂର୍ତ୍ତି
ଧ୍ୟାନ ମୋର ଗୁରୁ ପଦ
ମୋକ୍ଷ ମୋର ଗୁରୁ କୃପା ।