STORYMIRROR

Jyotsnarani Panda

Inspirational Children

4  

Jyotsnarani Panda

Inspirational Children

ଗୁରୁ ଶିଷ୍ୟ ପରମ୍ପରା

ଗୁରୁ ଶିଷ୍ୟ ପରମ୍ପରା

1 min
202

ଆବହମାନରୁ ଶାସ୍ତ୍ରେ ଲିପିବଦ୍ଧ 

  ଗୁରୁ ଶିଷ୍ୟ ପରମ୍ପରା 

 ପୂଜ୍ୟ ବନ୍ଦନୀୟ ସଦ୍ ଗୁରୁ ସଦା 

  ଶିକ୍ଷା ନଭେ ଧ୍ରୁବତାରା ।। 


ଗୁରୁ ବ୍ରହ୍ମା ପୁଣି ବିଷ୍ଣୁ ମହେଶ୍ୱର 

  ନର ନୁହେଁ ସେ ଈଶ୍ୱର 

ଅଜ୍ଞାନ ଅନ୍ଧାରେ ଜ୍ଞାନମୟ ଜ୍ୟୋତି  

 ଦିବ୍ୟ ସତ୍ତା ଆଲୋକର ।। 


ଗୁରୁ ଗରୀୟାନ ଚିର ମହୀୟାନ 

  ଶିଷ୍ୟ ପାଇଁ ଦେଵତୁଲ୍ୟ 

ସତ୍ ଉପଦେଶ ନୀତି ଓ ଆଦର୍ଶ 

  ମହିମା ସଦା ଜାଜ୍ଜ୍ୱଲ୍ୟ ।। 


ସତ୍ୟ ଶାନ୍ତି ଦୟା କ୍ଷମାଶୀଳ ହିଆ 

  କର୍ତ୍ତବ୍ୟନିଷ୍ଠ ଯେ ଗୁରୁ 

ଆଲୋକଵର୍ତ୍ତିକା ସାଜି ସୃଜନିକା 

  କାଷ୍ଠକୁ କରନ୍ତି ଦାରୁ ।। 


ଏକଲବ୍ୟ କର୍ଣ୍ଣ ଶିଷ୍ୟ ଯେ ସୁବର୍ଣ୍ଣ 

  ଆରୁଣି ଓ ଉପମନ୍ୟୁ 

ରଚିଥିଲେ କୀର୍ତ୍ତି ଜୀବନ୍ତ ସେ ସ୍ମୃତି 

 ତେଜୀୟାନ ସେହି ଦିନୁ ।। 


ବୃଦ୍ଧାଙ୍ଗୁଳି କାଟି ଦକ୍ଷିଣା ରୂପରେ

  ଏକଲଵ୍ୟ ଅର୍ପିଦେଲେ 

ଦ୍ରୋଣାଚାର୍ଯ୍ୟାଦେଶ ମାନି ସେ ମହୀରେ 

  ସୁନାମ ଅର୍ଜନ କଲେ ।। 


ଗୁରୁ ପର୍ଶୁରାମ ଧନୁର୍ଦ୍ଧାରୀ କର୍ଣ୍ଣ 

  କୋଳେ ନିଦ୍ରା ଯାଇଥିଲେ 

ବିଷାକ୍ତ କୀଟର ଦଂଶନରେ ସୁତ 

  ପୁତ୍ର ପ୍ରସିଦ୍ଧ ଯେ ହେଲେ ।। 


କ୍ଷୁଧା ନ ସମ୍ଭାଳି ଉପମନ୍ୟୁ ଭୋକେ 

  ଅରଖ ପତ୍ର ଭୁଞ୍ଜିଲେ 

ଇତିହାସ ପୃଷ୍ଠେ ସ୍ଵୟଂ ସତ୍ୟନିଷ୍ଠେ 

  ଯଶଖ୍ୟାତି ଲଭିଗଲେ ।। 


ଶିଷ୍ୟ ଆରୁଣି ଯେ ଗୁରୁ ଆଦେଶରେ 

  ଜଳସ୍ରୋତେ ଶୋଇଗଲେ 

ଭ୍ରୂକ୍ଷେପ ନକରି କଷ୍ଟକୁ ଆଚରି 

  ଶ୍ରେଷ୍ଠ ଶିଷ୍ୟେ ଗଣା ହେଲେ ।। 


ବହୁ କିମ୍ବଦନ୍ତୀ କମନୀୟ କାନ୍ତି 

  ଭାସ୍ଵର ଯେ ଭୂପୃଷ୍ଠରେ 

ଗୁରୁ ଗତି ମୁକ୍ତି ଭକ୍ତି ଅନୁରକ୍ତି 

  ଶିଷ୍ୟ ମନ ମନ୍ଦିରରେ ।। 


କରି ପଦସେଵା ପୂଣ୍ୟ ପ୍ରାପ୍ତ ହେବା 

  ବୈକୁଣ୍ଠରେ ବିହାରିବା 

ସକଳ କଳ୍ମଷ ସ୍ମରଣରେ ନାଶ 

 ନିତ୍ୟ ନାମ ଜପୁଥିବା ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational