STORYMIRROR

Ayushman Tripathy

Inspirational

3  

Ayushman Tripathy

Inspirational

ଗୁରୁ ହିଁ ଈଶ୍ୱର

ଗୁରୁ ହିଁ ଈଶ୍ୱର

1 min
510

ବିଦଗ୍ଧ ରମଣୀ ମାତା ସରସ୍ୱତୀ ସୁତ

ସର୍ବ ଜ୍ଞାନ ଧର୍ମ କର୍ମ ସତ୍ୟର ସେ ପୁତ,

ମନ୍ଦାକିନୀ ନୀରଠୁ ସେ ଅଟେ ଯେ ପବିତ୍ର

ସଂସାରରେ ପୀୟୁଷକୁ କରେ ସିଏ ମିତ୍ର।

ଦିବ୍ୟଶିଳ୍ପୀ ନୁହନ୍ତି ସେ ମାନବ ଗଢନ୍ତି

ସତ୍ୟ ଧର୍ମ ନ୍ୟାୟର ପରିଭାଷା ଶିଖାନ୍ତି,

ଅହଂ କାଳର କରାଳେ ହୁଅନ୍ତିନି ଗ୍ରାସ

କ୍ଷୀରନୀର ସଂପର୍କକୁ କରନ୍ତି ଅଶେଷ।

ଈଶ୍ୱର ନୁହନ୍ତି ସେ ମାତ୍ର ଧର୍ମକୁ ବଞ୍ଚାନ୍ତି

ଶ୍ରୀଗଣେଶ ନୁହନ୍ତି ମାତ୍ର ବିଦ୍ୟା ଦିଅନ୍ତି,

ପଥିକ ନହୋଇ ମଧ୍ୟ ସୁବାଟ ଦେଖାନ୍ତି

ରାଜା ନ ସାଜି ମଧ୍ୟ ଶିଶୁ ପ୍ରଜାକୁ ପାଳନ୍ତି।

ଷଡରିପୁ ତାଙ୍କୁ କେବେ କରେନି ବିଧ୍ୱସ୍ତ

ନା କେବେ ହୁଅନ୍ତି ସ୍ୱର୍ଗଚ୍ୟୁତ ପାରିଜାତ,

ତାନ୍ତ୍ରିକର ମାୟା ତାଙ୍କୁ ନକରେ ଭୟଭୀତ

ଅବା ମ୍ଲେଚ୍ଛ ବାଣୀ ତାଙ୍କୁ ଦିଏନି ଆଘାତ।

ଜୀବନ ଯାମିନୀକୁ ସେ କରିଥାନ୍ତି ଦୂର

ଅଟନ୍ତି ସେ ନବରକ୍ଷୀ ମହାନ ଧୀବର,

ତାଙ୍କ କଣ୍ଠୁ ବେଦଜ୍ଞାନ ସର୍ବଦା ଝରଇ

ଈଶ୍ୱରଙ୍କ ଈଶ୍ୱର ଯେ ଗୁରୁ ସେ ଅଟଇ।

ଶିଷ୍ୟ ଙ୍କର ଅଟନ୍ତି ସେ ବ୍ରହ୍ମା ବିଷ୍ଣୁ ଶିବ

ତାଙ୍କ ପୁଜା କଲେ ସର୍ବେ ସଂସାରୁ ତରିବ,

ମନ କର୍ମ ବଚନେ ସେ ସର୍ବଦା ଅଟଳ

ତାଙ୍କ ନିକି ଅଧୀଶ୍ୱର ଜଗତେ ବିରଳ।

ଶିଶୁ ପୁତର ଗୁରୁ ତା ମାଆ ବାପା ପ୍ରଥମ

ଦ୍ୱିତୀୟ କ୍ଷେତ୍ରରେ ବିଦ୍ୟାଦାତା ଗୁରୁ ନମ,

ଏ ସର୍ବ ଗୁରୁଙ୍କ ପାଇଁ ଏହା ମୋ ଧରମ

ତାଙ୍କ ଶ୍ରୀ ଚରଣେ ଏ ଶିଷ୍ୟର ପ୍ରଣାମ।

ଆଜିର ଏ ଧରାପୃଷ୍ଠେ କାହିଁ ସେ ଭକତି

ଗୁରୁ ଶିଷ୍ୟର ଭାବ ଆଜି ଲାଗେ ନାଚଗୀତି,

ଗୁରୁ ପାଇଁ ଆଜିର ଏ ଶ୍ରେଷ୍ଠ ବିଜ୍ଞାନ

ହେ ମୂର୍ଖ ଶିଷ୍ୟ କର ଗୁରୁଙ୍କୁ ପ୍ରଣାମ।

ଭାଗବତେ ଲେଖା ଗୁରୁ ସାକ୍ଷାତ ଈଶ୍ୱର

ନୁହନ୍ତି ସେ ସାଧାରଣ ଅଗୋଚର ନର,

ସର୍ବଦେବାଦେବୀ ତାଙ୍କୁ କରନ୍ତି ପୂଜନ

ନୟନ ଲୋତକେ ଧୌତ ହୁଏ ଶ୍ରୀଚରଣ।

ତାଙ୍କ ପଦାରବିନ୍ଦେ ଆଜି ହୁଅ ସମର୍ପିତ

ବିଶ୍ୱ ଜଗତକୁ ତାଙ୍କ ଆଶିଷରେ ଜିତ,

ଏହାହିଁ ମୋର ତୁମଠାରେ ନିବେଦନ

ସମର୍ପିତ ହେଲି ମୁଁ ଗୁରୁଙ୍କ ଶ୍ରୀଚରଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational