ଗୁଞ୍ଜରିତ ଧ୍ଵନି
ଗୁଞ୍ଜରିତ ଧ୍ଵନି
ରୁଦ୍ଧ ବାତାୟନେ ଅଣ ନିଃଶ୍ୱାସରେ
ବଶ୍ୟତା ସ୍ବୀକାର ହୁଏକି
ଗୁହାଳରେ ବନ୍ଧା ତୁଣ୍ଡି ମୁଖେ ପିନ୍ଧା
ପାଳିତ ପଶୁର ପ୍ରାୟକି ।
କଟାକ୍ଷ ବାଣରେ ଲୁହର ବୁନ୍ଦାରେ
ଭିଜୁଛି ପୁରୁଣା ସ୍ମୃତିରେ ,
କୋହର ରାଗିଣୀ କହଇ କାହାଣୀ
ଉତୁରିଛି ଅନୁଭୂତିରେ ।
ନଶ୍ଵର ଶରୀର ଜଳେ ଛଳନାର
ବିଶ୍ଵାସର ବିଷଘାତରେ ,
ଅଧୁରା କାହାଣୀ ବେସୁରା ରାଗିଣୀ
ଶୁଭୁଛି ହୃଦୟବୀଣାରେ ।
ଶରୀରଟା ସିନା ଆପଣାର ବିନା
ଜଳୁଛି ଜହ୍ନର ଜ୍ୟୋସ୍ନାରେ,
ଝୁରୁଛି ଅବନୀ ଖେଳେ ମାୟାବିନୀ
ଅଧୁନା ମୋହିନୀ ଛଳରେ ।
ଅମା ଅନ୍ଧକାରେ ତମସା ନିଶିରେ
ଭରସାର ଅନୁବନ୍ଧରେ ,
ବିନିଦ୍ର ରଜନୀ ସହସା ପାହେନି
ଭିଜୁଛି ଆଖିର ଲୁହରେ ।
ଧୂସର ଧରାରେ ଦୁର୍ଗମ ପଥରେ
ଅନାହୃତ ଚକ୍ରବ୍ୟୁହରେ ,
ଏଇ ମନ ତୃଷ୍ଣା କାହା ଆଶ୍ରା ବିନା
ବତୁରି ଚାଲୁଛି ମହୀରେ ।
ଆଖି ଦୁଇ ସିନା ଦେଖଇ ଛଳନା
ବନ୍ଧାପଡେ ଆତ୍ମୀୟତାରେ ,
ବିଶ୍ଵାସର ସେଇ କଥା ପଦ ଦୁଇ
ପ୍ରତିଧ୍ୱନୀ ହୁଏ କର୍ଣ୍ଣରେ ।
ପଡ଼ି ସୂର୍ଯ୍ୟାଲୋକ ଟୋପାଏ ଆଲୋକ
ନବ ଉଷା ଆଗମନରେ ,
ସ୍ମୃତିରେ ଅମ୍ଳାନ ତଥାପି ଜୀବନ
ବାନ୍ଧୁଥିବି ପ୍ରୀତି ଡୋରରେ ।
