ଗୁଣ୍ଡିଚାଘାଗିରେ ରାତ୍ରୀ
ଗୁଣ୍ଡିଚାଘାଗିରେ ରାତ୍ରୀ
ହସି ହସି ରବି ପଶ୍ଚିମ ଦିଗରେ
ବ୍ରାହ୍ମଣୀ ଦେବୀଙ୍କ ବାସେ
ମୁହଁକୁ ଲୁଚାଇ ଆଶ୍ରୟ ନେଲା ସେ
ଘନ ଗିରି ବନ ଦେଶେ||
ସର୍ପିଳ ରାସ୍ତାର ଉପରେ ପଡିଛି
ତାଙ୍କ ଅସ୍ତରାଗ ମଣି
ଶୁକ୍ଳ ବାସ ପିନ୍ଧି ପଶ୍ଚିମ ଆକାଶ
ନେଉଛି ମନକୁ କିଣି ||
ପୂରୁବ ଆକାଶେ ଉଇଁ ଆସୁ୍ଛନ୍ତି
ପୂର୍ଣ୍ଣିମାର ପୂର୍ଣ୍ଣଚନ୍ଦ୍ର
ଯାଉଁଳି ପୋଖରୀ ମଧ୍ୟେ କୁମୁୁଦିନୀ
ମାନେନାହିଁ ଇନ୍ଦ୍ର ଚନ୍ଦ୍ର||
ପଙ୍କଜିନୀ ମନ ଦୁଃଖେ ଆଖିପତା
ବନ୍ଦ କରି କରେ ଧ୍ୟାନ
ମନରେ ଭାସ୍କର ବିରହ ବେଦନା
ଦହନ କରେ ତା ପ୍ରାଣ ||
ପ୍ରୀତିର କିରଣ ଢାଳେ ନିଶାକର
କୁମୁଦିନୀ ଗଣ୍ଡ ଦେଶେ
ଜୁଆର ଖେଳାଇ ପୁଷ୍କରିଣୀ ନୀରେ
କୁମୁଦ ଗଗନେ ହସେ ||
ପ୍ରୀତିର ପ୍ଳାବନେ ଜଣେ ହସୁଥାଏ
ଜଣେ ବିରହ ବିଧୂରା
ସୁଖର ସାଗରେ ଆତ୍ମହରା କିଏ
କା'ଲାଗି ଦୁଃଖ ପସରା !!
ସୁଖ ଦୁଃଖ ଭରା ମଣିଷ ଜୀବନ
ସୁଖ ଆସେ ଦୁଃଖ ପରେ
ସେହି ସୁଖ ରହେ ନାହିଁ ଚିରକାଳ
ଦୁଃଖ ଆସେ ସୁଖ ପରେ ||
ମଣିଷ ଜୀବନେ ଦୁଃଖ ସୁଖ ଲାଗି
ରହିଥାଏ ଚକ୍ରାକାରେ
କେତେବେଳେ ମୁଖେ ମଧୁଝରା ହସ
କେବେ ଭିଜେ ଲୋତକରେ ||
କ୍ରମେ ମହୀପରେ ପିନ୍ଧି କଳାପାଟ
ବିରାଜିତା ବିଭାବରୀ
ଜନ କୋଳାହଳୁ ନିବୃତ୍ତ ଧରଣୀ
ଶୋଇଯାଏ ଶେଯପାରି ||
ମୁଷଳ ନଈର ପ୍ରବହନ୍ତି ଧାରା
କୁଳୁ କୁଳୁ ନାଦ କରି
ଘନ ଅନ୍ଧଧକାରେ ଅତିବେଗେ ଧାଏଁ
ମନରେ ଭୀତି ସଞ୍ଚାରି ||
ଗୁଣ୍ଡିଚା ଘାଗିର ପଥର ଦେହରେ
ଝୁଣ୍ଟି ପଡିଗଲା ସିଏ
ତା'ର ପଡିବାର ଶବଦ ବାୟୁରେ
ଭାସି ଭାସି ଆସୁଥାଏ ||
ଘଟଗାଁ ତାରିଣୀ ସଙ୍କଟ ମୋଚନୀ
ମନ୍ଦିରେ ଆଳତି ହୁଏ
ଆଳତି ବେଳର ଶବଦ ବାୟୁରେ
ଭାସି ଭାସି ଆସୁଥାଏ ||
ସତେକି ଗୁଣ୍ଡିଚା ଘାଗି ପ୍ରପାତର
ଏହି କଳକଳ ନାଦ
ମାତା ତାରିଣୀଙ୍କ ଜଣାଣ ଗାଉଛି
ଦୂର ହେବ ତା' ପ୍ରମାଦ !!
ସେହି କଥା ମନେ ଭାବିଲା ବେଳକୁ
ସୃଷ୍ଟି କରି ଭାବାନ୍ତର
ବିଦ୍ୟୁତ ଶକଟ ଶବ୍ଦେ ପ୍ରକୃତିସ୍ଥ
ହୋଇଗଲା ମନ ମୋର ||
ନିଶା ବଢି କ୍ରମେ ନିଃଶବ୍ଦ ଧରଣୀ
ନିଦ୍ରାମଗ୍ନ ସର୍ବ ପ୍ରାଣୀ
କେଉଁଆଡୁ ଭାସି ଆସିଲା ପବନେ
ହାତୀ ଚିିତ୍କାରର ଧ୍ୱନି ||
ନଦୀ ତଟ ବନେ କୋକିଶିଆଳୀର
ଶୁଭଇ ହୁକେ ହୋ ରଡି
ଭୟାତୁର ହୋଇ ଚାଷୀ ବାପୁଡାଟି
ଜଗିଅଛି ତା ବଦାଡି ||
ସତେ ଅବା କେଉଁ ଅପରାଧ ସିଏ
କରିଥିଲା ଜୀବନରେ
ସାରା ବରଷର ପରିଶ୍ରମ ଫଳ
ହାତୀ ଖାଇଯାଇ ପାରେ !!
କାଠଗଡଟିରେ ନିଆଁ ଜାଳିଦେଇ
ଫୁଟାଇ ଦିଏ ସେ ବାଣ
ପାରୁ ପରଯନ୍ତ ଶକତି ଖଟାଇ
ବାଡିରେ ପିଟେ ସେ ଟିଣ ||
ଦେଖି ନିଆଁ ହୁଳା ଶୁଣି ବାଣ ଶବ୍ଦ
ହାତୀ ଆସେନାହିଁ ସେଠି
ଚାଷୀ ବାପୁଡାଟା ଆଶଙ୍କିତ ମନେ
ରାତି କାଟେ ବସି ଉଠି ||
ଏହାରି ଭିତରେ ଗଞ୍ଜା ରଡି ଛାଡି
ଡାକଇ କେକେରେ କଅଁ
ମଝିରେ ମଝିରେ ପେଚକ ଶବଦ
ସମୀରଣ ସଅଁ ସଅଁ ||
ଉତ୍ତର ଆକାଶେ ଧ୍ରୁବତାରା ସଙ୍ଗେ
ପ୍ରାଚ୍ୟାକାଶେ କୁଆଁତାରା
ରାତ୍ରୀର ନିରବ ନିଶ୍ଚଳ ମଧ୍ୟରେ
ମନଲୋଭା ମନୋହରା ||
ଆକାଶରେ ଜହ୍ନ ତାରାମେଳେ ଆସି
ଏହିସବୁ ଦେଖି ଦେଖି
ଚାଲିଯାଏ ଶେଷେ ମୁହଁକୁ ଲୁଚାଇ
ରବି ଆଗମନ ଦେଖି ||
ପୋଖରୀ ତୂଠରେ ଆସି ପହଞ୍ଚିଲା
ନୂଆ ବୋହୁ ନିରିମାଖି
ଲାଜେ କଇଁ ଫୁଲ ଆଖି ବୁଜିଦେଲା
ନୂଆ ଭାଉଜକୁ ଦେଖି ||
ବାଳରବିଙ୍କର ପହିଲି କିରଣ
ପ୍ରୀତିର ପରଶ ପାଇ
ପଦ୍ମ ଆଖି ଖୋଲି ଅପଲକ ନେତ୍ରେ
ରବିଙ୍କୁ ରହିଲା ଚାହିଁ ||
ସମାପ୍ତ ହେଲା ତା' ବିରହ ଯନ୍ତ୍ରଣା
ପୂର୍ଣ୍ଣ ହେଲା ଅଭିସାର
ପୋଖରୀର ତୂଠ କୋଳାହଳ ମୟ
ଆଗମନେ ପ୍ରଭାତର ||

