STORYMIRROR

Sukadev Mahanta

Abstract

4  

Sukadev Mahanta

Abstract

ଗୁଣ୍ଡିଚାଘାଗି

ଗୁଣ୍ଡିଚାଘାଗି

1 min
372


ମୂଷଳ ନଈ ଲୋ ମୂଷଳ ନଈ 

କାହୁଁକେଉଁ କାଳୁ ଯାଉଛୁ ବହି,


କେତେ ବିଲ ବଣ ପାହାଡ ଡେଇଁ 

ବୈତରଣୀ ସଙ୍ଗେ ମିଶିବା ପାଇଁ ।।


ପ୍ରଗଳ୍ଭେ ଏମିତି ଯାଉଛୁ ଧାଇଁ 

ବିଦଗ୍ଧ ହୃଦୟ କହ କିମ୍ପାଇଁ ?


ଗୁଣ୍ଡିଚା ଘାଗିରେ ଆସି ପହଂଚି 

ଦୁଃସହ ଆବେଗ ମନରେ ସଂଚି,


ଏତେ  ନୀଚ୍ଚକୁ  ଦେଉଛୁ ଝାସ

 ଗୋଳିଆ ପାଣିରେ ଯେମନ୍ତ ଝସ ।।


କେଉଁ ଦୁଃଖ ତୋତେ କରେ ଅଥୟ 

ପାଷାଣେ  ମଥା ପିଟି ପଡୁ ତୁ କହ ,


ମନେ ସତେ କି ଦୁଃଖ ଅପ୍ରମିତ 

ସୃଷ୍ଟି   କରିଛି  ଏ ଜଳ ପ୍ରପାତ!!


ଘଟଗାଁ ବାସିନୀ ମାଆ ତାରିଣୀ 

ପାଦ ଧୋଇ ଯାଉ ତୁ ସ୍ରୋତସ୍ଵିନୀ ।।


ମନେ ପଡେ କାଞ୍ଚି ଗଡ଼କାହାଣୀ

 କାଞ୍ଚି ଗଡଚଣ୍ଡୀ ମାଆ ତାରିଣୀ ।।


କାଞ୍ଚି ଅଭିଯାନ ବେଳ ଘଟଣା

ଅଳପ  ବହୁତ ଥିବଟି  ଜଣା ।।


କେନ୍ଦୁଝର ରାଜା ଗୋବିନ୍ଦ ଭଞ୍ଜ

କାଂଚି ଯୁଦ୍ଧରେ ପ୍ରମୁଖ  ଦିଗ୍ଗଜ ,


ମାଆ ତାରିଣୀଙ୍କୁ କରି ପ୍ରସନ୍ନ 

କେନ୍ଦୁଝର ଗଡେ କଲେ ପ୍ରସ୍ଥାନ ।।


ମାଆ ତାରିଣୀଙ୍କୁ ବିନତି କଲେ 

ସାଥେ କେନ୍ଦୁଝର ଯିବାକୁ ଭଲେ।।


 ତାଙ୍କ ଭକ୍ତିଭାବେ ମାତା ପ୍ରସନ୍ନ 

କହିଲେ ରଖିବୁ ମୋ ସର୍ତ୍ତ ଶୁଣ: 


ତୁ ଆଗେ ଚଳିବୁ ମୁଁ ଯିବି ପଛେ 

ଆଗକୁ ଚଳିବୁ ନ ଚାହିଁ ପଛେ ।।

 

ଯେଉଁଠାରେ ତୁହି ପଛେ ଚାହିଁବୁ 

ସେଠାରେ ପାଷାଣ ରୂପ ଦେଖିବୁ ,


ସେଠାରୁ ଆଗକୁ ମୁଁ ଯିବି ନାହିଁ 

ସର୍ତ୍ତେ ରାଜି ହେଲେ ଯିବିରେ ମୁହିଁ ।।

 

କେନ୍ଦୁଝର ରାଜ ସର୍ତ୍ତ ମାନିଲେ 

କେନ୍ଦୁଝର ମୁଖେ ପ୍ରସ୍ଥାନ କଲେ ।।


ଆଗରେ ଗୋବିନ୍ଦ ପଛେ ତାରିଣୀ

 ମାଆ ତାରିଣୀଙ୍କ ଘୂଙ୍ଗୁର ଶୁଣି ।।


ବାଟରେ ପଡିଲା ମୂଷଳ ନଈ 

ଘୂଙ୍ଗୁର ବାଲିରେ ବୁଡିଲା ଯାଇ ।।


ଘୂଙ୍ଗୁର  ଶବଦ ଶୁଭିଲା ନାହିଁ 

ଗୋବିନ୍ଦ ମନରେ ସନ୍ଦେହ ଦେଇ ।।


ରହିଗଲେ କିବା ମା' ଠକି ଦେଇ?

 ଏହାଭାବି ଦେଲେ ପଛକୁ  ଚାହିଁ।।

 

ସେହିଠାରେ ମାଆ ପାଷାଣୀ ହେଲେ

ଆଗକୁ ଯିବିନି  ବୋଲି  କହିଲେ ।।


ଗୋବିନ୍ଦ ବହୁତ ନେହୁରା ହେଲେ

 ନିଜ ଭୁଲ ପାଇଁ କ୍ଷମା ମାଗିଲେ ।।


ନିଜକୁ ବହୁତ  ଧିକ୍କାର  କଲେ

ମାତା ପାଦତଳେ ମଥା ପିଟିଲେ ।।

 

ଦୟାମୟୀ କ୍ଷମା କର ବୋଲିଣ

 ମାଆ ପାଦ ତଳେ ଗଲେ ପଡିଣ ।।


ଭକତ ବତ୍ସଳା ମାଆ ତାରିଣୀ

ଗୋବିନ୍ଦ ଭଞ୍ଜଙ୍କୁ କହିଲେ ପୁଣି ।।


ମୋ କଥା ଅନ୍ୟଥା ହୋଇବ ନାହିଁ 

ଏହିଠାରେ  ପୂଜା  ପାଇବି  ମୁହିଁ ।।


ଶାଳ  ବୃକ୍ଷ  ମୂଳେ ସେହି ଦିନରୁ

 ମାଆ  ତାରିଣୀଙ୍କ  କୃପାବାରିରୁ 


ବହୁ ଭକତଙ୍କ ମନସ୍କାମନା 

ପୂର୍ଣ୍ଣ ହୁଏ କରିଲେ ଆରାଧନା ।।


ମାଆ ତାରିଣୀଙ୍କ ଅମର ଗାଥା 

କୁଳୁ କୁଳୁ ନାଦେ କହି ଚାଲିଥା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract