ଗୁଣ ତାର ନିତି ଗାଉରେ
ଗୁଣ ତାର ନିତି ଗାଉରେ
ଚାଷୀଟିର ଆଶା ମାଟି ମାଆ ପୁଣି
ଆକାଶଟି ତା'ର ଭରସା
ଖୁସି ଭରିଯାଏ ଜୀବନେ ତାହାର
ଆକାଶୁ ଝରିଲେ ବରଷା ।।
ବରଷା ଟୋପାଟି ମାଟିକି ଛୁଇଁଲେ
ମାଟି ଭିଜି ହୁଏ ନରମ
ହଳ ଯୋଚି ନେଇ ବେଗେ ଚଷା ଭାଇ
କରେ ତା'ର ଚାଷ କରମ ।।
କରମ କରେ ଯେ ଏଇ ଦୁନିଆରେ
ଅଭାବ ନ ରହେ ତାହାରି
ଜାଣେ ବୋଲି ନିତି ସଅଳ ସଅଳ
କାମକୁ ଯାଏ ସେ ବାହାରି ।।
ବାହାରି ଆସିଲେ ଆପଣା କାମକୁ
ଭୋକ ଶୋଷ ଭୁଲି ଯାଏ ସେ
କାମ କରୁ କରୁ ମନ ଆନନ୍ଦରେ
ମିଠା ମିଠା ଗୀତ ଗାଏ ସେ ।।
ଗାଏ ସେ ଭାବରେ ଥାଇ ଅଭାବରେ
ଜୀବନଟା ତା'ର ସେମିତି
ଦେଖିଲେ ଲାଗଇ ଆହା କେତେ ଭଲ
ସୁଖୀ ମଣିଷ ସେ ଯେମିତି ।।
ଯେମିତି ଥାଉ ସେ ସେଥିକି ତାହାର
ଟିକିଏ ବି ଦକ ନ ଥାଏ
ତା' ସହିବା ପଣ ଆଖିରେ ଦେଖିଲେ
ଦୁନିଆର ମନ ବଥାଏ ।।
ବଥାଏ ବୋଲି ତ ଦୁନିଆ ସତତ
ଜୟଗାନ କରେ ତାହାର
କହେ ପୁଣି ଉଚ୍ଚେ ତା'ର କି ଆନନ୍ଦ
ସତେ ଚାଷ ଅଛି ଯାହାର ।।
ଯାହାର ଜୀବନ କ୍ଷେତରେ ବିତୁଛି
ସୁଖେ ସୁଖେ ବିତୁଥାଉରେ
ଆହାର ଦିଏ ସେ ତେଣୁ ଏ ଜଗତ
ଗୁଣ ତା'ର ନିତି ଗାଉରେ ।।