ଗୁହାରୀ ମୋ ଶୁଣ ଜଗନ୍ନାଥ
ଗୁହାରୀ ମୋ ଶୁଣ ଜଗନ୍ନାଥ
ଲେଖିବାକୁ ଥିଲା ବହୁ କିଛି ପ୍ରଭୁ
ଆଉ ଲେଖି ପାରୁ ନାହିଁ
କହିବାକୁ ଥିଲା ବହୁ କିଛି କଥା
କହି ଆଉ ପାରୁ ନାହିଁ
ସମସ୍ୟା ଜଞାଳେ ଆଜି ତୁମ ଭକ୍ତ
ହୁଏ ପୁଣି ବାରବୁଲା
ସେ ଚକା ଆଖିରେ ସବୁ ପୁଣି ଦେଖୁ
ହୋଇ ଅଜଣା ଅଶୁଣା
ଯାଯାବର ଥିଲା ସେହି ବିଶ୍ବାବସୁ
ସ୍ବପ୍ନାଦେଶ ତାଙ୍କୁ ଦେଲ
ଶବର ରାଜ୍ୟ ଗଢି ତ ଉଠିଲା
ତାଙ୍କ ହାତୁ ଫୁଲ ନେଲ
କେତେ ଯେ ପରୀକ୍ଷା ଦେଇଥିଲା ପୁଣି
ସେଦିନ ସେ ବିଦ୍ୟାପତି
ଶବରୀ କନ୍ୟାକୁ ଆପଣାଇ ଥିଲା
ଭୁଲି ସବୁ ରୀତି ନୀତି
ଆର୍ଯ୍ୟ ଅନାର୍ଯ୍ୟର ମିଳନ ତ ହେଲା
କେବଳ ତୁମରି ପାଇଁ
ସେଥିପାଇଁ ପରା ତୁମରି ମନ୍ଦିରେ
&nbs
p; ଜାତି ଧର୍ମ କିଛି ନାହିଁ
ସେଦିନର ସେହି ରାଜା ଇନ୍ଦ୍ରଦ୍ୟୁମ୍ନ
କେତେ ଯେ ପରୀକ୍ଷା ଦେଲା
ସେହି ଶ୍ରୀମନ୍ଦିର ଦେଖିବା ପାଇଁକି
ଯୁଗ ଯୁଗ ବିତିଗଲା
ସେ ଚକା ଆଖିରେ ହିସାବ ତ କର
କେତେ ପାପ ଆଉ ପୁଣ୍ୟ
କାହାକୁ ତ ଦିଅ ରାଜାର ଦରଜା
କିଏ ହୁଏ ପୁଣି ଘୃଣ୍ୟ
ନୁହେଁ ମୁଁ ତ ଆଜି ସେହି ବିଶ୍ବାବସୁ
ନୁହଇଁ ମୁଁ ବିଦ୍ୟାପତି
ଦାସିଆ ବାଉରି ନୁହେଁ ମୁଁ ତ ପୁଣି
ନୁହେଁ ମୁଁ ବନ୍ଧୁ ମହାନ୍ତି
ବାରବୁଲା ଆଜି ତୁମ ଏ ଭକତ
ଏତିକି ଗୁହାରୀ କରେ
ଠିକଣା ରାଇଜେ ପହଞ୍ଜାଇ ଦିଅ
ବଞ୍ଚିବି ତୁମ ଦୟାରେ