ଗରୁଦେବ
ଗରୁଦେବ
(ଗୁରୁ ପାଦ ପଦ୍ମେ ରଖିଲେ ଲୟ
ସକଳ କାର୍ଯ୍ୟରେ ହୋଇବ ଜୟ)
ଅଜ୍ଞାନ ତିମିର ହୋଇଯାଏ ଦୂର
ନିମ ହୁଅଇ ଚନ୍ଦନ,
ନିରାଶା ଅନ୍ଧାରେ ଆଶାର ଆଲୋକ
ଗୁରୁ ମଳୟ ପବନ;
ଘୋର ଅଜ୍ଞାନ ଅର୍ଣ୍ଣବ,
ପାରି ହେବା ପାଇଁ ଗୁରୁ ପାଦ ପଦ୍ମ
ଆଶ୍ରୟ ଅଟେ ସମ୍ଭବ ।
(୨)
ଅଜ୍ଞାନ ମରୁର ମରୁଦ୍ୟାନ ଗୁରୁ
ବ୍ରହ୍ମା, ବିଷ୍ଣୁ, ମହେଶ୍ଵର,
ସମାନ ଅଟନ୍ତି ସେ ଯେଉଁ ପୁରୁଷ
ସେତ ଗୁରୁ ଦେବ ମୋର;
ସେପଦ ରେଣୁ ତିଳକ,
ମଥାରେ ଝଟକୁ ଥିଲେ ଜିଣିପାରେ
ଅକ୍ଳେଶରେ ୟେ ଭୂଲୋକ ।
(୩)
ହୃଦୟ ସରର ପ୍ରସ୍ଫୁଟିତ ପଦ୍ମେ
ଗୁରୁ ସେ ପଦ୍ମ କେଶର,
ଗୁରୁ ପିତା, ମାତା ଧର୍ମ, କର୍ମ ମୋର
ଗୁରୁ ସାକ୍ଷାତ ଈଶ୍ଵର;
ଗୁରୁ ଜପ,ତପ, ଧ୍ୟାନ,
ଗୁରୁଙ୍କ ବିହୁନେ ନିଶ୍ଚଳ ୟେ ବିଶ୍ଵ
ଗୁରୁ ଜ୍ଞାନ ଧନ ସମ ।
(୪)
ପବନ ପ୍ରବାହେ ମେଘ ଯେଉଁ ପରି
ଆକାଶୁଁ ଛାଡିପଳାଏ,
ଗୁରୁ ଙ୍କ କୃପାରୁ ଅଜ୍ଞାନତା ଘନ
ସହସା ଉଭେଇ ଯାଏ;
ଗୁରୁ କୃପାମୃତ ପାନ,
କରି ଜ୍ଞାନାଗଙ୍ଗା ପବିତ୍ର ଜଳରେ
କରରେ ଅବଗାହନ ।
(୫)
ଗୁରୁ ସର୍ବ ଶ୍ରେଷ୍ଠ ପଥ ପ୍ରଦର୍ଶକ
ଗୁରୁ ଯେ ଜ୍ଞାନର ଖଣି,
ଗୁରୁ ସଂସ୍ପର୍ଶରେ ଉପଳ ସୁବର୍ଣ୍ଣ
ସମ ଦିଶୁଥାଏ ପୁଣି
ଗୁରୁତ ପରଶ ମଣି,
ଗୁରୁ ବିନା ନର ଆଖି ଥାଉଥାଉ
ଅନ୍ଧ ବୋଲି ତାକୁ ଗଣି ।
(୬)
ପଙ୍ଗୁ ଲଂଘି ପାରେ ଦୁର୍ଗମ ପର୍ବତ
ମୁକ ବାଚାଳାମି କରେ,
ଏ ସବୁ ସମ୍ଭବ କେବଳ ସଂସାରେ
ଗୁରୁଙ୍କର କୃପା ବଳେ;
କୃଷ୍ଣ ବନ୍ଦେ ଜଗତ୍ ଗୁରୁ
(ଶ୍ରୀ) ଚରଣାରବିନ୍ଦେ ପ୍ରଫୁଲ୍ଲ ଶରଣ
ପ୍ରଭୁ ଜ୍ଞାନ କଳ୍ପତରୁ ।