ଗ୍ରୀଷ୍ମ
ଗ୍ରୀଷ୍ମ
ଚଇତାଳି ପଛେ ପଛେ
ସନ୍ଧ୍ୟାରେ ଦିନେ ଗଲି
ସାଗର ବେଳାରେ ବସି
କହିଲା ଯିବ ସେ ଚାଲି ।।
ସେହିରାତି ତାହା ଲାଗି
ଅଟଇ ଶେଷ ରାତି
ବସନ୍ତ ବିଦାୟ ଜାଣି
କହିଲା ଦୁଃଖେ ସେ ଅତି ।।
ରାତ୍ରୀ ପର ସକାଳକୁ
ଧରାରେ ସେ ନଥିବ
ପହିଲି ବୈଶାଖ ଆସି
ତାହାର ସ୍ଥାନକୁ ନେବ ।।
ପରଦିନ ପ୍ରଭାତରେ
ଦେଖିଲି ଆଖି ଖୋଲି
ନିଦାଘ ବସିଛି ଆସି
ଖୁସିର ପସରା ମେଲି।।
ପଣାସଂକ୍ରାନ୍ତିର ଦିନ
ମନରେ ତା ପୁଲକ
ବିଷୁବ ରେଖାରେ ରବି
ଦେଖାଏ ତାର ଚମକ।।
ବିଷୁବ ସଂକ୍ରାନ୍ତି ବୋଲି
ମନ୍ଦିରେ ଲାଗେ ଗହଳ
ବୈଶାଖୀ ପାଳନ ଲାଗି
ପଞ୍ଜାବୀ ସକଳେ ମେଳ ।।
ଓଡିଶାର ଘରେ ଘରେ
ବେଲପଣା ପିଅନ୍ତି
ମନ୍ଦିରେ ଗହଳ ଲାଗେ
ଦେବତାଙ୍କୁ ପୂଜନ୍ତି
ମଳୟ ଯାଇଛି ଚାଲି
ସଭିଏଁ ତାକୁ ଝୁ୍ରନ୍ତି ।।
ନିଦାଘ ମୋ ହାତେ ଧରି
ଅରଣ୍ୟେ ନେଇ ଗଲା
ଚାର ବୃକ୍ଷେ ଚାରକୋଳି
ମନଭରି ଖୋଇଲା।।
ଦେଖାଇଲା ଗିରିବନ
ପାହାଡର ଝରଣା
ଅପରୂପ ବେଶ ତା'ର
ନାହିଁ ତା'ର ତୁଳନା।।
ଗିରି ବନଦେଶ ହସେ
ନୂତନ ପଲ୍ଲବରେ
ପାହାଡି ଝରଣା
ବହେ ସୁଶୀତଳ ନୀରେ ।।
ପଥପ୍ରାନ୍ତ ସାଜିଥିଲା
କୃଷ୍ଣଚୂଡା ଫୁଲରେ
ଦୂରରୁ ପଳାସ ଫୁଲ
ନାଲି ରଙ୍ଗେ ମନହରେ ।।
ଲୁଣ ଲଙ୍କାଗୁଣ୍ଡ ସାଥେ
କସିଆମ୍ବ ସେ ଦେଲା
ଆମ୍ବର କୋଇଲି କାଢି
ଆମ୍ବୁଲ କରି ସେ ଦେଲା
ପଣସ କଠାରେ ସିଏ
ସୁସ୍ବାଦୁ ବ୍ୟଞ୍ଜନ ଦେଲା ।।
ଗ୍ରୀଷମର ସାଥେ ମୁହିଁ
ତାଳବଣକୁ ଗଲି
ତାଳସଜ ପେଟ ଭରି
ଆନନ୍ଦରେ ମୁଁ ଖାଇଲି।।
ମୋ ଘରର ଅଗଣାରେ
ମଲ୍ଲୀଫୁଲ ହସିଲା
ତାକୁନେଇ ପ୍ରୀୟାମୋର
ଗଭାରେ ତା ଖୋସିଲା
ମଲ୍ଲୀଫୁଲେ ଗୋରା ଦେହ
ମହ ମହ ସେ ବାସିଲା ।।
ପ୍ରାଣପ୍ରୀୟା ମୋର ଆସି
ଖୋଇଲା ତରଭୁଜ
ହସହସ ମୁଖେ ତାର
ଶୋହିଲା ପ୍ରୀତି ମୁରୁଜ ାା
ଶରଧାରେ ବେଲପଣା
ପ୍ରୀତିଭରେ ସେ ଦେଲା
ମୋ ପିଠିରେ ହାତ ରଖି
ଖାଅ ବୋଲି ସେ କହିଲା ।।
ପାଚିଲା ପଣସ ରସ
ଲାଗେ ଭାରି ସରସ
ପାଚିଲା ଆମ୍ବର ସ୍ବାଦ
ମନେ ଭରି ଦିଏ ହର୍ଷ।।
ଖରାବେଳେ ବରଗଛ
ତଳ ଛାୟା ଶୀତଳ
ବାମ୍ଫୀର ଜଳ ଲାଗଇ
ହିମ ପରିକା ଶୀତଳ ।।
ବୈଶାଖ ମାସରେ ଆସେ
ଅଶୋକାଷ୍ଟମୀ ଦିନ
ପ୍ରଭୁ ଲିଙ୍ଗରାଜଙ୍କର
ଋକୁଣା ରଥେ ଦର୍ଶନ ।।
ଶ୍ରୀରାମ ନବମୀ ତିଥି
ଆସିଲା ଯେଉଁ ଦିନ
ମର୍ଯ୍ଯାଦା ପୁରୁଷୋତ୍ତମ
ଶ୍ରୀରାମଙ୍କ ପୂଜନ
ଭକ୍ତିମୟ ପରିବେଶ
କରିଲା ବିରାଜମାନ ।।
ପ୍ରଭୁ ଶ୍ରୀରାମଙ୍କ ନୀତି
ଆଦର୍ଶର ଦର୍ଶନ
ସତ୍ୟ ନ୍ୟାୟ ଗୁଣ ହୃଦେ
ବହିବାକୁ କଲି ପଣ ।।
ଅକ୍ଷୟ ତୃତୀୟା ବେଳ
ହୋଇଲେ ଉପଗତ
ଗୃହର ନିର୍ମାଣ ଆଦି
ଶୁଭକର୍ମ ସମ୍ପାଦିତ।।
ଧାନବୁଣା ଅନୁକୁଳ
କରିଲା ଚାଷୀକୁଳ
ରଥ ଖଳାରେ ରଥର
ନିରିମାଣ ଅନୁୁକୁଳ ।।
ବଇଶାଖ ପୂର୍ଣ୍ଣିମାର
ଚନ୍ଦନ ଯାତରାରେ
ପ୍ରଭୁ ମଦନ ମୋହନ
ଚାପ ଖେଳନ୍ତି ଆଦରେ ।।
ବୁଦ୍ଧ ପୂର୍ଣ୍ଣିମାରେ କଲି
ବୁଦ୍ଧଙ୍କ ଆରାଧନା
ଦୟା କ୍ଷମା ଶାନ୍ତି ମୈତ୍ରୀ
ଅହିଂସା ହୃଦେ ସର୍ଜନା ।।
ସାବିତ୍ରୀ ଅମାବାସ୍ୟାର
ମହାର୍ଘ୍ୟ ଲଗନରେ
ହିନ୍ଦୁ ରମଣୀ ନିଷ୍ଠାରେ
ସାବିତ୍ରୀ ବ୍ରତକରେ,
ଦୀର୍ଘାୟୁ କାମନା କରେ
ମାତା ସାବିତ୍ରୀଙ୍କ ଠାରେ
ଜ୍ୟେଷ୍ଠମାସର ଖରାରେ
ଖଇ ଫୁଟେ ସୌରତାପରେ ।।
କଦଳୀ ପୁଆ ନେଇ ମୁଁ
ବାଡିରେ ପୋତି ଦେଲି
ପାଚିଲା କୁସୁମ ଫଳ
ଖାଇ ମୋ ମନ ତୋଷିଲି ।।
ସାରୁ ହଳଦୀ ଗଜାକୁ
ବାଡିରେ ପୋତି ଦେଲି
ଜାମୁ ଗଛରୁ ପାଚିଲା
ଜାମୁ କୋଳି ମୁଁ ତୋଳିଲି ।।
ନିଦାଘ ମୋ ହାତ ଧରି
ନେଲା ବାଟ କଢାଇ
ରଜ ଦୋଳିରେ ବସାଇ
ଦେଲା ମୋତେ ସେ ଝୁଲେଇ ।।
ରଜପାନ ଦେଇ ମୋର
ମନକୁ ନେଇ ମୋହି
ଆକାଶରେ କଳା ମେଘ
ଦେଲା ମୋତେ ସେ ଦେଖାଇ ।।
ଗେଲ କରି ଦେଲା ମୋତେ
ବରଷାରେ ଭିଜାଇ
ବିଦାୟ ବିଦାୟ ବନ୍ଧୁ
ହସି ହସି ଦେଲା କହି ।।
ଗ୍ରୀଷମ କାଳ ଅଟଇ
ପରମ ଉପକାରୀ
ଡାକିଆଣେ ବରଷାକୁ
ମେଘମାଳା ସୃଷ୍ଟି କରି ।।
ଆତପ ସନ୍ତାପ ତାର
ଦେଲେ ବି କଷ୍ଟ ଭାରି
ଜଗତ ବାସୀଙ୍କୁ ଦିଏ
ଫୁଲରେ ଫଳରେ ଭରି ।।