ଗରିବର ଆତ୍ମଲିପି
ଗରିବର ଆତ୍ମଲିପି
ଗରିବ ଗରିବ କାହିଁକି ହେଉଛ
ଦେଖିଯାଅ ମୋତେ ଥରେ
ମୋତେ ଦେଖିଦେଲେ ଜାଣିଯିବ ତୁମେ
ଗରିବ କୁହନ୍ତି କାରେ I
ମନରେ ଗରିବ ନୁହଁଇ ମୁଁ କେବେ
ଧନେ ମୁଁ ଗରିବ ଟିଏ
ଅସହାୟ ହୋଇ ସେଥିପାଇଁ ସିନା
ମରି ମରି ବଞ୍ଚୁଥାଏ I
ଚାରିବର୍ଷ ହେଲା ଛପର ହୋଇନି
ଭଙ୍ଗା କୁଡିଆଟି ମୋର
ଦିନରେ ସୂରୂଜ ଆତଯାତ କରେ
ରାତିରେ ଜୋଛନା ଧାର I
ବରଷା ଆସିବା ଦେଖିଦେଲେ ମୋର
ଛାତିହୁଏ ଧଡପଡ
ଗଲାସନ ଘର କାନ୍ଥ ପଡି "ମା"
ଚାଲିଗଲା ଆରପୁର I
କାହାକୁ କହିବି ଦୁଃଖ କଥା ମୋର
କିଏ ବା ଶୁଣିବ କିଆଁ
ରକ୍ତ ପାଣି କରି ଦିନ ରାତି ଖଟେ
ଲିଭେ ନାହିଁ ପେଟ ନିଆଁ I
କେଉଁଠାରେ ଭାସେ ଖିରି ପୁରି ପୁଣି
ବିଦେଶୀ ମଦର ସୁଅ
ଭୋକ ବିକଳରେ ମୋ ବଢିଲା ଝିଅ
ବିକେ ଯାଇ ତାର ଦେହ I
ଜାଣି ମୁଁ ପାରେନା କି ଦୋଷ ମୋହର
କେ ଜାଣିଛ ଯଦି କୁହ
ଜଣେ କିଆଁ ଏଠି ଖୁସି ମନାଉଛି
ମୋ ଆଖରେ କିଆଁ ଲୁହ I