ଗ୍ରହରାଜ
ଗ୍ରହରାଜ
ଉତ୍ତାପରେ ଜଳ ହୁଏ ବିଶୋଷିତ
କରି ସୃଷ୍ଟି ଜଳସ୍ତର
ଗ୍ରହରାଜ ସୂର୍ଯ୍ୟ ନବଗ୍ରହ ମଧ୍ୟେ
ସର୍ବ ଶକ୍ତିର ଆଧାର। {୧}
ତାଙ୍କରି ଆଲୋକେ ବିଶ୍ୱ ଆଲୋକିତ
ଉତ୍ତାପରେ ଉତ୍ତାପିତ
ଅଂଶୁମାଳୀ ସିଏ ଜୀବଦାନ ପାଇଁ
ସମଗ୍ର ଜୀବଜଗତ। {୨}
ସବଳ ମଣିଷ କ୍ଷଣକେ ନିର୍ବଳ
ଦେହ ଝୋଲା ମରିଯାଏ
ତପନ ଉତ୍ତାପ ଆଣେ ଅଂଶୁଘାତ
ବିନା ରୋଗେ ମୃତ୍ୟୁ ହୁଏ। {୩}
ତେଜସ୍କର ଅଂଶୁ ଜନ-ପ୍ରାଣୀ ଦୁଃଖ
ଧରା ହରାଏ କ୍ଷମତା
ଧୂଳି, ଧୂଆଁ, ଜାଳ ଦୂଷିତ ବଢାଏ
ପରିବେଶ ଅସମତା। {୪}
ଗ୍ରାମରୁ ନଗର ନାହିଁ ସନ୍ତୁଳନ
ନାଶ କରି ବୃକ୍ଷଲତା
ଯେଣେ ଦେଖ ତେଣେ ତୋଳା ହୋଇଅଛି
କଂକ୍ରିଟ୍ ର ଗୃହ, ରାସ୍ତା। {୫}
ବିଶୋଷିତ ହୋଇ ନଥାଏ ଉତ୍ତାପ
ଦିଏ ପ୍ରଚଣ୍ଡ ଆଘାତ
ଗୋଡୁ ଗୋଛି ଉଠେ ପେଟ ଫୁଲିଯାଇ
ପଡି ଯାଏ ପାଟି ଦାନ୍ତ। {୬}
ହୋଇଣ ସତର୍କ ଟୋପି ମୁଣ୍ଡେ ଦେଇ
ଓଦା ଗାମୁଛା ରଖିବା
ଜୋତା ଛତା ନେଇ ଯାତାୟତ କରି
ପ୍ରଚୁର ପାଣି ପିଇବା। {୭}
ଲେମ୍ବୁ ଲୁଣ ପାଣି କାଞ୍ଜି ବା ତୋରାଣି
ବରଫ ପୁଡିଆ ଲଦି
ବୃକ୍ଷମୂଳେ ଆଶ୍ରା ବୁଦ୍ଧିମାନ କାର୍ଯ୍ୟ
ବୃଦ୍ଧି ହୁଏ ତାପ ଯଦି। {୮}
ବିପୁଳ ଜଙ୍ଗଲ କଲେ ସୃଷ୍ଟି ଜାଣ
ହୁଅଇ ଉତ୍ତାପ ହ୍ରାସ
ଅସମ୍ଭାଳ ଖରା ଶୀତଳଇ ଧରା
ଜୀବ ଜନ୍ତୁ ଓ ମଣିଷ। {୯}
