STORYMIRROR

Jagannath Barik

Inspirational

4  

Jagannath Barik

Inspirational

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ

1 min
356

ବ୍ରଜେନ୍ଦ୍ର ବାବୁଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର ସାମନ୍ତରାୟ

ତହସିଲଦାର ଚାକିରୀ ତାଙ୍କର ବାପାଙ୍କର ବ୍ୟବସାୟ ।


ସମ୍ଭ୍ରାନ୍ତ ସାମନ୍ତ ଚଉଦିଗେ ଖ୍ୟାତ ଵିଵେକୀ ବିଚାରବନ୍ତ

ପତ୍ନୀତ କମଳା ସାକ୍ଷାତ କମଳା ଅଂଶେ କିବା ଧରାଗତ ।


ଯୋଗ୍ୟ ପୁଅ ପାଇଁ ଅନୁରୂପ ଝିଅ କରିବାପାଇଁ ଚୟନ 

କେତେ ବଡ଼ ଘରୁ ପ୍ରସ୍ତାବ ଆସିଲା ପତି ପତ୍ନୀ ହୃଷ୍ଟମନ ।


ଚାକିରିଆ ଝିଅ, ଉଚ୍ଚ ଶିକ୍ଷିତାଙ୍କ ଆଚରଣ ରଙ୍ଗ ଢଙ୍ଗ

ଦେଖି ବ୍ରଜବାବୁ ହୋଇଗଲେ କାବୁ ସବୁରେ ହେଲେ ଅମଙ୍ଗ ।


ଫେରୁ ଫେରୁ ବାଟେ ମନ୍ଦିର ନିକଟେ ଦେଖିଲେ ଅପୂର୍ବ ବାଳା

ରୂପେ ରତି ରମା ନହେବେ ଉପମା ସୌନ୍ଦର୍ଯ୍ୟର ଚିତ୍ରଶାଳା ।


ସ୍ଵଭାଵ ସାରଳା ଥିଲା ଲଜ୍ଜାଶୀଳା ଚାଲି ରାଜହଂସୀ ଗତି

ଲୋଭ ବଢିଗଲା ମନ ମାନିଗଲା ମିଳିଲେ ବାଳିକା କତି ।


ପରିଚୟ ନେଇ ତାଙ୍କ ଘରେ ଯାଇ ଦେଲେ ବିବାହ ପ୍ରସ୍ତାବ

ଗରିବ ମୁଲିଆ ବାପଟି ଛାନିଆ ପ୍ରକାଶିଲା ଦୈନ୍ୟ ଭାବ ।


ବୁଝାଇ କହିଲେ ସମୁଦୀ ମୋହର କନ୍ୟା ରତ୍ନ ଦରକାର

ଏହି ରତ୍ନଠାରୁ ଅଛିକି ସଂସାରେ ବହୁମୂଲ୍ୟ ଉପହାର ।


ସମସ୍କନ୍ଧ ବନ୍ଧୁ ହେଲାନାହିଁ ବୋଲି ସ୍ଵଜନେ ବାଢିଲେ ମତ

ନଶୁଣି କା କଥା ବିବାହ ବ୍ୟବସ୍ଥା କରିଲେ ବ୍ରଜ ସାମନ୍ତ ।


ବହୁ ଆଡ଼ମ୍ବରେ ହେଲା ବିଭାଘର ଭୋଜି ଭାତ ମହୋତ୍ସବ

ସାତଦିନ ଧରି ପାଳିଲେ ଏପରି ସାରା ରାଇଜେ ଦୁର୍ଲଭ ।


କନକ ଲତାର ସହ ରାଜେନ୍ଦ୍ରର ହେଲା ଶୁଭ ପରିଣୟ

ରତି ରତିପତି ଶଚି ଶଚୀପତି ଯୋଡ଼ି ସମ ଶୋଭାମୟ ।


ରୂପରେ ଗୁଣରେ ଆଚାରେ ବିଚାରେ କନ୍ୟା ଥିଲାଅନୁପମ

ହସରେ ଭାଷରେ ଚାରୁ ବ୍ୟବହାରେ ଛୁଇଁଲା ସବୁରି ମର୍ମ ।


ଆଦର୍ଶ ଗୃହିଣୀ ପତି ସୋହାଗିନୀ ପତିପ୍ରାଣ ପ୍ରଣୟିନୀ

ଶାଶୁ ଶ୍ୱଶୁରଙ୍କ ହୃଦୟ ପଦକ ପ୍ରିୟ ଆଜ୍ଞାନୁପାଳିନୀ ।


ଦିନ କେଇଟାରେ ଶୁଷ୍କ ସଦନକୁ କରି ଦେଲା ତପୋବନ

ଗୁରୁ ଗୁରୁଜନ ସେବାରେ ମଗନ ଦେବାତିଥି ପରାୟଣ ।


ଆଗେ ଉଠେ ପଛେ ଶେଜକୁ ସେ ଯାଏ ସବୁ କାମେ ବିଚକ୍ଷଣା

କୁଳବଧୂ ସାର ସତୀ ସ୍ବାଧୀ ଧୀର ବୁହାଏ ଶାନ୍ତିର ବନ୍ୟା ।


ସାମନ୍ତ ଘରର ଗୃହଲକ୍ଷ୍ମୀ ଯଶ ବ୍ୟାପିଗଲା ଦିଗନ୍ତରେ

ଧନ ନୁହେଁ ବଡ଼ ମନ ଅଟେ ବଡ଼ ନାରୀ ପୂଜ୍ୟା ଜଗତରେ ।



Rate this content
Log in

Similar oriya poem from Inspirational