ଗୃହଲକ୍ଷ୍ମୀ
ଗୃହଲକ୍ଷ୍ମୀ
ଧୀରେ ଧୀରେ ମୁହିଁ ଧରଣୀ ବକ୍ଷରେ
ବଡ଼ ହୋଇ ଆଜି ଦେଖେ
ଜୀବନ ଖେଳରେ ଶୈଶବ ବେଳରେ
ଅଛି କେତେ ସୁଖ ଦୁଃଖେ ।
ଆଖିରେ ଆଖିଏ ସପନ ନେଇ ମୁଁ
ଯେବେ ବିତାଇଲି ଦିନ
ଜଟିଳ ହୋଇଲା ଜନ୍ମ ଦାତା ପାଇଁ
ଏଇ ମୋ ଯୌବନ ପ୍ରାଣ ।
ପର ହାତେ ତୋଳି ନିଶ୍ଚିନ୍ତେ ରହିଲେ
ମଥାକୁ ହାଲୁକା କରି
ସୁହାଗ ସିନ୍ଦୂର ଲଲାଟେ ମାଖି ମୁଁ
ଚଳିଲି ଭାଗ୍ୟ ଆଦରି ।
କଇଁ କଇଁ କାନ୍ଦ ସରି ଆସୁ ଥାଏ
ପାଖେଇଲା ଶାଶୁ ଘର
କୁଳ ବଧୂ ହୋଇ ନଇଁ ନଇଁ ଚାଲେ
ଆଖି ଦେଖୁ ଥାଏ ପର ।
ଗୃହ ଲକ୍ଷ୍ମୀ ନାମ ଜଗାଇଲା ଧର୍ମ
ସଂସାର ତରଣୀ ଦେଇ
ଜଞ୍ଜାଳ ଚାବିକୁ ଧରାଇଲେ ଶାଶୁ
ସକଳ ଦାୟିତ୍ଵ ଥୋଇ ।
ଉଷା ଆଗମନ ଅନୁଭବ କରି
ଶଯ୍ୟା କର ପରିତ୍ୟାଗ
କୁଳ ଦେବୀ ଠାରୁ ଜ୍ୟେଷ୍ଠ କନିଷ୍ଠ ଙ୍କୁ
ରାନ୍ଧି ପରଷିବୁ ଆଗ ।
ପରିବାର ମଧ୍ୟେ ଯେତେ ଝଡଝଞ୍ଜା
ଆସୁ ଥିବ ପ୍ରତି ଦିନ
ମନରେ ନଧରି ଝାଡି ଦେଉ ଥିବୁ
ଭାବି ଧୂଳି ବାଲି ସମ ।
ଶାଶୁ କଥା ଶୁଣି କୋମଳ ମନ ମୋ
ହୋଇ ଗଲା ବୁଦ୍ଧି ବଣା
ପାରିବି କି ସତେ କର୍ତ୍ତବ୍ୟ ସମ୍ଭାଳି
ଆସିଛି ଏଇ ଅଗଣା ।
ଗୃହ ଲକ୍ଷ୍ମୀ ବୋଲି ସ୍ଥାନ ମୁଁ ଲଭିଲି
ପର କଲି ଆପଣାର
ହେଲେ ଏଇ ମନ ତଳ କଥା ଯେତେ
ନୋହିଲା ଜୀବନେ ସାର ।
ଉଦର ଭୋକକୁ ଉଦରେ ମାରିଲି
ସାଜି ଅନ୍ନପୂର୍ଣ୍ଣା ନାମେ
ମୁହିଁ ଗୃହ ଲକ୍ଷ୍ମୀ ଶାଶୁ ଘର ଶିରୀ
ରହିଲି ସକଳ କର୍ମେ ।
ଦେଖିଛି ଏ ଆଖି ଛଳ ପ୍ରତାରଣା
ଉପରକୁ ମିଠା କଥା
ଶାଶୁ ନଣନ୍ଦଙ୍କ ଟାହି ଟାପରା ତ
ହୃଦେ ହାଣି ଦିଏ ବ୍ୟଥା ।
ଆଜି ହୋଇଛି ମୁଁ ଘରକୁ ସୁନ୍ଦର
ଓଠରେ ନୀରବ ବାସ
ଶାଶୁ ଘରେ ମୋର ସବାରି ଉଠିଣ
ମୁଠାଏ ହେଉ ପାଉଁଶ ।
ସୁବାସିତ ହୋଇ ଚଉଦିଗ ଘେରି
ଝରି ପଡୁ ଗୁଣ କୀର୍ତ୍ତି
ଜୀବନ ପ୍ରଦୀପ ଜଳି ଜଳି କରୁ
ଗୃହଲକ୍ଷ୍ମୀ ନମେ ସ୍ତୁତି ।।
