ଗୋଟିଏ ମନ କୋଟିଏ ବାହାନା
ଗୋଟିଏ ମନ କୋଟିଏ ବାହାନା
କେତେ କାହାକୁ ନିଜର କରିବି
କାହା ଲାଗି ଆଉ କେତେ ମୁଁହରେ ରଙ୍ଗ ମାଖିବି
ଭୋକ ଉପାସରେ ପେଟ ଥାଉ ପଛେ,
ଘର ଦୁଆରେ ପହଞ୍ଚୁ ପହଞ୍ଚୁ ପ୍ରତିଦିନ,
ସେଇ ଗୋଟିଏ ପ୍ରଶ୍ନ
କେବେ ଆସିବ ଖୁସିର ଦିନ
ହେଲେ ଏତେ ସହଜ କଣ ମିଛ କହିବା
ମିଛକୁ ପୁଣି ବାସ୍ତବତାର ସ୍ପର୍ଶ ଦେବା,
ଦୁଃଖରେ ଥାଇ ବି ହସ ହସ ମୁହଁ ଦେଖାଇବା,
ହଁ ଅବଶ୍ୟ କେତେ ଜଣ ଏହାକୁ କହିବେ,
ନିର୍ଲଜ,ବୋକା,ନିର୍ବୋଧ...ଆହୁରି କେତେ କଣ,
ହେଲେ ଏ ଭିତରେ ବି କେତେ ସଂଘର୍ଷ
ନହେଲେ ଏ ମନକୁ ବା କିଏ ପଚାରେ,
ବାସ ଯେମିତି ଦରକାର ,
ସେମିତି ରୂପ ରଙ୍ଗ ସହ ନିଜକୁ ରୂପାନ୍ତରିତ କରିବାକୁ ପଡେ,
ସେ ପେଟର ଓଦା କନାକୁ ବା କିଏ ପଚାରେ
ଅନ୍ୟର ଦିନକୁ ଦି ଓଳି ଖାଇବା କରେଇଦେଲେ ଗଲା,
ତେଣିକି କାଶିଆ କିଏ ନା କପିଳା କିଏ
ସତରେ ଏ ଜୀବନର ରଙ୍ଗ ବି କେତେ
ବିଚରା ମନତ ଅଛି ଖାଲି ବିଚାର ଶୁଣିବାକୁ,
କେତେବେଳେ କିଏ ପିଆଦା ଆସେ,
କେତେ ବେଳେ ମନ ମହକିଲ ଯୋଗାଡ଼ କରେ,
ତାରିଖ ପରେ ତାରିଖ ଗାଡିଚାଲେ,
ମନ ବେତିବ୍ୟସ୍ତ ହୋଇଯାଏ ଶୁଣିବାକୁ ଗୋଟିଏ କଥା,
କେତେ ପୋଷାକ ବଦଳାଇ ପଡିବ ତାକୁ
ନାଜାଣିବି ଫଇସାଲାର ଦିନ କେବେ,
ମନ ଅଭିନୟ କରେ, ଖୁବ ମନ ଲଗେଇ,
ଚେଷ୍ଟା କରେ ବାନ୍ଧିରଖିବାକୁ ସମସ୍ତଙ୍କୁ,
ଯେ ଯାଏ ନାଟକର ସମ୍ପୂର୍ଣ ଜବନିକା ନ ପଡିଛି,
ଖାସ ସେଇ ଗୋଟିଏ ମନ ଲାଗି କେତେଯେ ବାହାନା,
କେତେ ବେଳେ ସଫଳ ହୁଏ ,
କେବେ ପୁଣି ବିଫଳ ହୋଇ ଖୋଜି ବସେ ନୂଆ ବାହାନା
