ଗୋପ ଗୌରାଙ୍ଗ
ଗୋପ ଗୌରାଙ୍ଗ
ଗିରି ଗୋବର୍ଦ୍ଧନ ଟେକା ଗୌରାଙ୍ଗ
ଗହନ କାନ୍ତ କମନୀୟ ଅଙ୍ଗ
ଗଳେ ତୋ ପିନ୍ଧାଇ ଦିଅନ୍ତି ବାଗେ
ଗୁନ୍ଥି ମଲ୍ଲୀ ମାଳ ଅତି ସରାଗେ
ଗୋପ ଗୌରାଙ୍ଗ
ଗଲେ ଯାଉ ଜୀବ ଥାଉ ତୋ ସଙ୍ଗ ।
ଗୋପ ଦୁଆରେ ମୁଁ ହୁଅନ୍ତି ଯୋଗୀ
ଗୁହାରି କରନ୍ତି କରୁଣା ଲାଗି
ଗୋପଦାଣ୍ଡ ଧୂଳି ତୋ ପାଦ ଲଗା
ଗୋଳି ଅଙ୍ଗେ ବୋଳି ନାଚନ୍ତି ନାଗା
ଗୋପ ଗୌରାଙ୍ଗ
ଗଲେ ଯାଉ ଜୀବ ଥାଉ ତୋ ସଙ୍ଗ ।
ଗରିବ ପଣେ ମୁଁ ଜଣେ ଅଭାଗା
ଗଣା ନୁହେଁ କେଉଁ ଗୁଣେ ରେ ଜଗା
ଗାଉଥିବି ଗୀତ ଗୋବିନ୍ଦ ରାଗ
ଗୋବିନ୍ଦେ ଆନନ୍ଦ ନାମେ ସରାଗ
ଗୋପ ଗୌରାଙ୍ଗ
ଗଲେ ଯାଉ ଜୀବ ଥାଉ ତୋ ସଙ୍ଗ ।
ଗଚ୍ଛିତ ସମ୍ପଦ ସରିବା ଆଗୁଁ
ଗୁନ୍ଥା ମାଳତୀ ମଉଳିବା ଆଗୁଁ
ଗଳା ମାଳ ବାସି ତୁଳସୀ ଲଗା
ଗଳେ ମୋ ଲଗେଇ ଦେବୁ କି ଜଗା ରେ
ଗୋପ ଗୌରାଙ୍ଗ
ଗଲେ ଯାଉ ଜୀବ ଥାଉ ତୋ ସଙ୍ଗ ।
ଗଛରୁ ପତର ହେଲେ ଅଲଗା
ଗୁଜୁରେ କି କଳି କୋମଳ ଚଙ୍ଗା
ଗଲା ବେଳ ଅଙ୍ଗ ଶୁଖିଲା ଡାଙ୍ଗ
ଗୋଟେଇ ନେବୁ କି କରି ସରାଗ
ଗୋପ ଗୌରାଙ୍ଗ
ଗଲେ ଯାଉ ଜୀବ ଥାଉ ତୋ ସଙ୍ଗ ।
ଗୀତରେ ଗ କୁ ରଖିଛି ଆଗ
ଗୁନ୍ଥିଛି ଯତନେ ଶେଷକୁ ଗ
ଗୁଣୀ ଜନେ ଖୁଣ କରି ଅଲଗା
ଗଣିଲେ ଗୀତକୁ ହେବ ସୌଭାଗ୍ୟ
ଗୁହାରି ମାଗେ
ଗୁଣେ ବାମନ ଅସରା ସରାଗେ ।
