STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ଗୋମାତା-ସ୍ତୁତି

ଗୋମାତା-ସ୍ତୁତି

1 min
232

ମା ଗୋ କାମଧେନୁ ତୁ ଯେ ଜୀବନ୍ତ ମନ୍ଦିର

ତେତିଶ କୋଟୀ ଦେବତା ବାସ ତୋ ଶରୀର

ମାଲୋ ଅମୃତ ଧାରିଣୀ

ବିଶ୍ଵ ବିଷ ଜ୍ବାଳା ହରୁ ପାପ ବିନାଶିନୀ।


ଭୂମଣ୍ଡଳେ ଥାପିବାକୁ ତୋ ଦିବ୍ୟ ମହିମା

ଗୋପାଳ ବାଳକ ହୋଇ ଜନ୍ମିଲେ ତ୍ରିସାମା

ତୋ କୋଳରେ ବାଲ୍ୟ ଲୀଳା

କରିଗଲେ ନାରାୟଣ ମର୍ତ୍ତ୍ୟେ ଲୀଳା ଖେଳା।


ପଞ୍ଚଗବ୍ୟ ତୋର ସତେ ଅମୀୟ ନିର୍ଝର

ପ୍ରଦୂଷିତ ପଞ୍ଚଭୂତେ କରେ ସୁନିର୍ମଳ

ନିତି ପଦସ୍ପର୍ଶ ତୋର

ପ୍ରଦାନ କରେ ସେ ସର୍ବ ତୀର୍ଥ ଜଳ ସ୍ନାନ।


ଏକାଦଶ ରୁଦ୍ରଙ୍କର ମାତା ତୁ କଲ୍ୟାଣୀ

ଅଷ୍ଟବସୁଙ୍କର କନ୍ୟା ସୁଧା ପ୍ରଦାୟିନୀ

ବେଦ ବଖାଣେ ମହତ

ଦ୍ଵାଦଶ ଆଦିତ୍ୟଙ୍କର ଭଗିନୀ ତୁ ମାତ।


ମୁଖରେ ତୋ ଚତୁର୍ବେଦ ଶିରେ ପ୍ରଜାପତି

ଏକ ଶିଙ୍ଗେ କେଶବ ଦ୍ବିତୀୟେ ପଶୁପତି

କର୍ଣ୍ଣେ ଅଶ୍ବିନୀ କୁମାର

ଦୁଇ ନେତ୍ରେ ଚନ୍ଦ୍ର ସୂର୍ଯ୍ୟ ଦନ୍ତେ ତୋ ଗରୁଡ଼।


ଜିହ୍ଵାରେ ତୋ ସରସ୍ୱତୀ ଗୋମୂତ୍ରେ ଜାହ୍ନବୀ

ଲୋମକୁପେ ଋଷିଗଣ ଗୋମୟେ ମାଧବୀ

ହମ୍ବା ଧ୍ୱନୀ ତୋ ମଧୁର

ଚାରି ପହ୍ନାରେ ତୋ ବହେ ଚାରି ପାରାବାର। 


ତୋର ନିଶ୍ବାସରେ ସର୍ବ ବାସ୍ତୁଦୋଷ ଦୂର

ତୋ ଗଳାରେ ଘଣ୍ଟି ତୋ ଆରତୀ ଉପଚାର

ତୋର ବାତ୍ସଲ୍ୟ ନୟନ

ଭାଙ୍ଗିଦିଏ ସର୍ବଭ୍ରାନ୍ତି ଦିଏ ଦିବ୍ୟଜ୍ଞାନ। 


ତୋର ପ୍ରଦକ୍ଷିଣେ ମାତ ସର୍ବ ଭୟ ଦୂର

ତୋର ସେବା ନବଗ୍ରହ ଶାନ୍ତିର କାରଣ

ଧରା ମାୟା ମୋହ ଘେରା

ତୋର ସେବା ଖୋଲିଦିଏ ବୈଭବ ପସରା।


ଦିଶେ ନାହିଁ ଆଉ ଗ୍ରାମେ ଗୁହାଳ ନଜର

ତୋର ନାମେ ଚାଲିଛି ମା ବଣିଜ ବେପାର

ତୁ ମା ମହା କ୍ଷମାଶୀଳା,

ତୋର କୃପା ବିନା ତୋର ସନ୍ତାନ ବାଉଳା।


ତୋ ଚରଣେ ଶେଷେ ମାଗୋ ଏତିକି ମିନତି

ଫେରିଆସୁ କୁପଥରୁ ଏ ମାନବ ମତି

ମାଗୋ ଚରଣେ ପ୍ରଣାମ

ସେବୁଥାଏଁ ଭକତିରେ ହୋଇ ମୁଁ ନିଷ୍କାମ।



Rate this content
Log in

Similar oriya poem from Abstract