ଗୋଲକଧନ୍ଦା
ଗୋଲକଧନ୍ଦା




କବିତା ଗୋ !
କେତେ ଥର ଆଉ କହିବି ତୁମକୁ
ଏମିତି ଅଦିନରେ ,
ଆସିବ ନାହିଁ ବୋଲି
ସକାଳର ସ୍ନିଗ୍ଧତା ,
ମୋତେ ଭିଜାଇ ଦେଉଛି ଲାଜରେ ,
ରାତିର ଶୃଙ୍ଗାର
ଏବେ ଯାଏଁ ଛାଡ଼ିନି ତା'
ସମ୍ମୋହନର ରଙ୍ଗ ,
ଏମିତିରେ ତୁମର ଛନ୍ଦାୟିତ
ଶବ୍ଦ କଲ୍ଳୋଳ
ଶରତ ଆକାଶରେ ଆଙ୍କୁଛି
ଇନ୍ଦ୍ରଧନୁର ଭ୍ରମ ,
ଖୋଜିବାକୁ ଯାଇ ତୁମ
ଅସ୍ତିତ୍ବର ଅସ୍ମିତା ,
ସେ ଭିତରେ
କେତେ ହଜିଛି ମୁଁ ,
କେତେ ଶବ୍ଦ-ବର୍ଷାରେ ଭିଜିଛି ମୁଁ ,
ଶୁଷ୍କ ଶୀତକୁ
କେତେ ଯେ ସଜେଇଛି ,
ବସନ୍ତ-ମହ୍ଲାରରେ ,,
ତଥାପି ,
ତୁମେ ଆସ ବେଳା, ମୁହୂର୍ତ୍ତ ନ ଦେଖି
ମୋତେ ପକାଅ
କଳ୍ପନାର ଅଜବ ଗୋଲକଧନ୍ଦାରେ ,
ମନେ ମନେ
ଭାବେ ମୁଁ ବସି
ସ୍ଵୀକାର କରିବି ତ ,
କରିବି କାହାକୁ !
କଳ୍ପନା ରାଇଜେ ତୁମ ଆଗମନକୁ
ଅବା ,
ବାସ୍ତବତାର କ୍ରୁର ପ୍ରହାରରେ
ଦୁର୍ବିସହ ହୋଇଉଠିଥିବା
ମୋ ଜୀବନ-କାହାଣୀକୁ !!!