ଗୋଲକ ଧନ୍ଦା
ଗୋଲକ ଧନ୍ଦା
ଭାରତ ସଭ୍ୟତା ଭିତରେ ଭବ୍ୟତା
ନଦେଖି ହେଲୁଣି ଅନ୍ଧ
କିଶୋରୀ ବୟସେ କେତେ ଯେ ଅୟସେ
ଉଛୁଳାଇ ଦେଉ ବନ୍ଧ
ସଉକେ ଅତର ଗନ୍ଧ
ଦେହ ଯାକ ବୋଳି ଅଧା ବସ୍ତ୍ର ଖୋଲି
କହୁଛୁ ଦୁନିଆ ମନ୍ଦ ।
ମାଗି ଅଧିକାର ମଧୁ ଚନ୍ଦ୍ରିକାର
ଲଗାଇ ଦେଇଛୁ ଧନ୍ଦା
କାହା ସାଥେ ବୁଲି ଚଲାବାଟ ଭୁଲି
ମନାସୁ ପୀରତି ଛନ୍ଦା
ଆନନେ ଓଢଣୀ ବନ୍ଧା
ସହରଟା ସାରା ଚାଲିଛି ଏ ଧାରା
ବାପା ହୋଇଲାଣି ଚନ୍ଦା ।
ମୋବାଇଲ ଧରି ନାନା ସାଙ୍ଗ କରି
ଦେହର ବନ୍ଧନେ ବାନ୍ଧି
ଦେଇଥିଲା ଧୋକା କେହିଜଣେ ଟୋକା
ଦିନ ସରେ ଏବେ କାନ୍ଦି
ଥମିଲେ ଯୌବନ ଆନ୍ଧି
କହିବୁ ଅସାର ଏ ସାରା ସଂସାର
ପରଷିବୁ ନୂଆ ରାନ୍ଧି ।
କହିଲେ କହିବ ବୁଝିବ ଦଇବ
ନାରୀ ପ୍ରତି ଯେବେ ନିନ୍ଦୁ
ମୁଁ ସିନା ଛତରା କିପାଇଁ କତରା
ପୋଷାକ ପସନ୍ଦେ ପିନ୍ଧୁ ?
ଟାଇଟ୍ ଫିଇଟ୍ ବାନ୍ଧୁ
ହାୟରେ ଦଇବ ଲୁଚି କି ରହିବ
ଗୋଲକ ଧନ୍ଦା ଏ ଫାନ୍ଦୁ ?
ପ୍ରସନ୍ନ କୁମାର ମାଦଳା