ଗୋଲାପ
ଗୋଲାପ
ପ୍ରସ୍ଫୁଟିତ ତୁମେ ବନେଉପବନେ
ଆଗୋ ସୁନ୍ଦରୀଗୋଲାପ |
ବିମୁଗ୍ଧ ବିସ୍ମିତ କର ବିମୋହିତ
ତୁମ ରୂପ ଗୋ ଅନୁପ ||୧||
ଧନ୍ୟ ଉପବନ ନିତ୍ୟ କରେ ସ୍ନାନ
ତୁମ ରୂପର ଗଙ୍ଗାରେ |
ଧରଣୀ ସାଜିଚି ଇନ୍ଦ୍ରସଭା ଆଜି
ତୁମରୂପ ମହକରେ ||୨||
ଭ୍ରମର ଗୁଞ୍ଜନ କରେ ଆକର୍ଷଣ
ଭରେ ମନରେ ଉନ୍ମାଦ |
ଆତ୍ମ ବିଭୋରରେ ନୃତ୍ୟ କରୁଥାଏ
ପାଗଳ କରେ ସୁଗନ୍ଧ ||୩||
ଦର୍ଶକ ନର୍ତ୍ତକ କବି ଚିତ୍ରକାର
ସଭିଏଁ ତ ମନ୍ତ୍ରମୁଗ୍ଧ |
ହୁଅନ୍ତି ଭାବୁକ ଗାଲ୍ପିକ ବାଦ୍ୟକ
ତୁମ ପରଶ ଅଦ୍ଭୁତ ||୪||
ବିରହ ବେଦନା ଦୂରକରି ତୁମେ
ବାନ୍ଧି ପ୍ରେମର ବନ୍ଧନ |
ନିମିଷକେ ତୁମେ ଶିକ୍ଷା ଦେଇଯାଅ
ସମ୍ବନ୍ଧରେ ହି ଜୀବନ |୫|
ଅଭିସାରିକା ଗୋ ଲାବଣ୍ୟମୟି ହେ
ସାଜିଚ ମଧୁଶଯ୍ୟାରେ |
ଦିବ୍ୟରୂପେ ସ୍ନାନ କରଇମାନବ
ଜୀବନ ବିଦାୟୀ ବେଳାରେ ||୬||
ସାଗର ଦୁଲ୍ଲଣୀ ବିଷ୍ଣୁପାଟରାଣୀ
ପାଦେ ତୁମ ସମର୍ପଣ |
ମା’ ଲକ୍ଷ୍ମୀଙ୍କର ଆଶୀର୍ବାଦରେ
କରିଲ ଜୀବନ ଧନ୍ୟ ||୭||
ପୁଷ୍ପ ଶଯ୍ୟା ନୁହେଁ ମନୁଷ୍ୟ ଜୀବନ
ଝଡ ଝଞ୍ଜାରେ ତ ପୂର୍ଣ |
ରୁପ ରସ ଗନ୍ଧେ କଣ୍ଟକ ଧାରଣ
ତୁମେ ଜୀବନ ଦର୍ଶନ ||୮||