ବର୍ଷା
ବର୍ଷା
ଗ୍ରୀଷ୍ମ ଉଷ୍ଣତାରେ ମେଦିନୀର ତନୁ
ଟକ୍ ମକ୍ ଫୁଟୁଥିଲା
ଝୁରୁଥିଲା ସତେ ସବୁଜ ପଲ୍ଲବ
ଆଶାମରୀଚିକା ଥିଲା ||୧||
ଶୁଷ୍କତରୁଲତା କ୍ଷେତ ଓ କିଆରୀ
ବେଦନାରବ୍ୟଥା ଥିଲା
ବିରହିଣୀ ସେତ ଆକୁଳ ନୟନେ
ପ୍ରତୀକ୍ଷାରେ ରତଥିଲା ||୨||
ସପ୍ତରଙ୍ଗେଭରା ବାସବର ତୀର
ତନୁମନ ଭରିଦେଲା
ହରିନେଲା ଫଲ୍ଗୁ ବିରହରବ୍ୟଥା
ଶିହରଣ ଖେଳିଗଲା ||୩||
ବର୍ଷା ଗୋ ତୁମେ ଭିଜା ତନୁମନେ
ପ୍ରୀତିରାଗିଣୀ ନାୟିକା
ରିମ୍ଝିମ୍ଝିମ୍ ନୂପୁର ଝଙ୍କାରେ
ସାଜିଲ ଅଭିସାରିକା ||୪||
ପ୍ରେମର ଦୁନ୍ଦୁଭି ଘଡଘଡିନାଦେ
ବିଜୁଳିର ଅନ୍ତରାଳେ
ପ୍ରେୟସୀ ପ୍ରିୟାର ରୂପଲାବଣ୍ୟରେ
ଧରଣୀ ରାଣୀର କୋଳେ ||୫||
ଇନ୍ଦ୍ରଧନୁର ସେ ସପ୍ତରଙ୍ଗୀ ଶୋଭା
ଦେଖି ଅପରୂପ ଠାଣି
ପ୍ରଗଳ୍ଭା ଧରିତ୍ରୀ ଅନ୍ତ:ସତ୍ତ୍ଵା ଧରା
ବାସବ ତୀରକୁ ଘେନି ||୬||
କାମୋଦ କାମୋଦୀ ଅନ୍ତରଙ୍ଗ ସାଜି
ଇନ୍ଦ୍ରଧନୁର ତାଳେ
ନାଲି ଟୁକୁଟୁକୁ ସାଧବ ବୋହୁଟି
ସବୁଜ ଗାଲିଚା କୋଳେ ||୭||
କଳାବାଦଲରେ ବିଜୁଳି ଚମକେ
ବିରହିଣୀ କୁମୁଦିନୀ
ବେଙ୍ଗ ବେଙ୍ଗୁଲିଙ୍କ ରଡିର ତରଙ୍ଗେ
ଉନ୍ମାଦିନୀ ଶିଖରିଣୀ ||୮||
ନୃତ୍ୟାଙ୍ଗନା ପିକ ପୁଚ୍ଛର କୁହୁକ
ବନରାଜି ପ୍ରଫୁଲ୍ଲିତ
ହର୍ଷରପୁଲକ କୁମ୍ଭାଟୁଆ ରାବ
ସବୁଜିମା ବିଚ୍ଛୁରିତ ||୯||
ପ୍ରକୃତିର ଶୋଭା ଅତି ମନଲୋଭା
କିବା ଅପ୍ସରାଙ୍କ ନୃତ୍ୟ
ସ୍ଫଟିକମଣି ସେ ବର୍ଷା ବାରି ବିନ୍ଦୁ
ଧନ୍ୟ ସ୍ରଷ୍ଟାଙ୍କ କୃତିତ୍ତ୍ଵ ||୧୦||