ମାୟାର ଖେଳ
ମାୟାର ଖେଳ
ଜୀବନର ଚକ୍ର ଘୁରି ବୁଲୁଚି ସେ
ଜନ୍ମ ପରେ ଜନ୍ମ ନେଇ |
ମୁକ୍ତିପଥ ସତେ ବାଧିତ ହୋଇଚି
କାମନାର ବଶ ହୋଇ ||୧||
ଜଞ୍ଜାଳରେ ଘେରା ଦିବସର ସୂଚୀ
ମନ ତନ୍ତ୍ରୀ ଆନ୍ଦୋଳିତ |
ସୁଖମୟ ଦିଶେ ଏଇ ଦୁନିଆଟା
ମାୟାଜାଲେ କବଳିତ ||୨||
ମାନ ଅପମାନ ଗର୍ବ ଅହଙ୍କାରେ
ସମୟରେ ବର୍ତ୍ତମାନେ |
ସଞ୍ଚିତ ପାପର ଭଣ୍ଡାର ବଢ଼ଇ
ପାପରାଶି ବର୍ଦ୍ଧମାନେ ||୩||
ଦୁଃଖ ଆଗମନେ ବ୍ୟସ୍ତ ଓ ବିବ୍ରତ
ଦୂର କରିବାରେ ବ୍ୟସ୍ତ |
ଅସହାୟ ହୁଏ ବିଫଳତା ପାଇ
ବିସ୍ତାରିତ କାଳହସ୍ତ ||୪||
ପ୍ରାରବ୍ଧ କର୍ମର ପରିଣାମ ଫଳ
ପ୍ରତିକ୍ଷଣେ ଅନୁଭବ |
କ୍ରିୟମାଣ କର୍ମ ଅଜ୍ଞାନତା ଘେରା
ଅଜ୍ଞାନ କାହୁଁ ବୁଝିବ ||୫||
ପୂଣ୍ୟ ଆଉ ପାପ ଜୀବନ ଗଣିତ
ମିଶାଣ ଫେଡ଼ାଣ ହୁଏ |
ବୁଢ଼ିଆଣୀ ଜାଲ ବନ୍ଧନରେ ବନ୍ଧା
ସତେ ପ୍ରହେଳିକା ପ୍ରାୟେ ||୬||
ମାୟା ଅସ୍ତରଣ ଆଚ୍ଛାଦିତ ରୁହେ
କର୍ମମୟ ଜୀବନରେ |
ଜୀବନମାର୍ଗର ଗହନ ରହସ୍ୟ
ପରିପୂର୍ଣ୍ଣ ରହସ୍ୟରେ ||୭||
ଜନ୍ମ ଆଉ ମୃତ୍ୟୁ ଜୀବନର ସତ୍ୟ
ଅସହାୟ ଏ ମନୁଷ୍ୟ |
କ୍ଷଣେ ମାତ୍ର ପାଇଁ ରୋକିବା ଅକ୍ଷମ
ମୃତ୍ୟୁର କରାଳ ପାଶ ||୮||
ନିୟତର ଖେଳ ଲୀଳାମୟଙ୍କର
ଲୀଳାରେ ମନୁଷ୍ୟ ଖେଳେ |
ଅଧମ ମନୁଷ୍ୟ କାମନାର ଦାସ
ତୃପ୍ତ ବାସନା ଜାଲେ ||୯||