ପିତା
ପିତା
ସ୍ଵର୍ଗପରି ତାଙ୍କ ହୃଦୟ ବିଶାଳ
ଗିରିସମ ଦୃଢ ସବଳ |
ମୋ ପାଇଁ ସ୍ଵର୍ଗ ପୂଣ୍ୟ ଚତୁର୍ଧାମ
ତାଙ୍କରି ଚରଣ କମଳ ।
ଲାଳନ ପାଳନେ ଶିକ୍ଷା ଓ ସଂସ୍କାରେ
ଗଢିଥା’ନ୍ତି ଏହି ଜୀବନ |
ତ୍ୟାଗ ଓ ସ୍ନେହର ମୂର୍ତ୍ତିମନ୍ତ ରୂପ
ସୁଝି କେ ପାରିବ ଋଣ ।
ଝଡଝଞ୍ଜାଭରା ଜୀବନର ପଥ
ସଂଘର୍ଷରେ ପରିପୂର୍ଣ୍ଣ |
ସଶକ୍ତ ସୁଦୃଢ କରିଥାଏ ପରା
ପିତାଙ୍କ ଅନୁଶାସନ ।
ସରସ ସୁନ୍ଦର ଗଢିତୋଳିବାକୁ
କରନ୍ତି ଅକ୍ଳାନ୍ତ ଉଦ୍ୟମ |
ଆପଦ ବିପଦେ ବାଳୁତ ଜୀବନେ
ସଶକ୍ତ ପ୍ରହରୀ ସମ ।
ଅହୋରାତ୍ର ଏକା କରିଥା’ନ୍ତି ସିଏ
ନିଜଜୀବନର ବଳୀଦାନେ |
ସ୍ଵର୍ଗୀୟ ଆନନ୍ଦେ ଭୁଲନ୍ତି ନିଜକୁ
ପିଲାଙ୍କ ଗୌରବ ସମ୍ମାନେ ।
ତାଙ୍କରି ଆଶୀଷ ଶୁଭ ଆଶୀର୍ବାଦେ
ଦୁର୍ଗମପଥ ହୁଏ ସୁଗମ |
କର୍ମ ଶିକ୍ଷା ଗୁରୁ ଧର୍ମ ଦୀକ୍ଷା ଗୁରୁ
ବ୍ରହ୍ମତୁଲ୍ୟ ଅପ୍ରତିମ ।
ପିତା ହିଁ ଏକ ଶରୀର ନୁହନ୍ତି
ଦିବ୍ୟରୂପର ସେ ନିଦର୍ଶନ |
ଅନ୍ତର୍ଚକ୍ଷୁରେ ଦେଖିଲେ ତାହାଙ୍କୁ
ଧନ୍ୟ ହୁଏ ଏ ଜୀବନ ।
