ପିତାମାତା
ପିତାମାତା
ଆତ୍ମାର ନିବାସ ଶରୀରଟି ଏକା
ପିତାମାତାଙ୍କର ଅବଦାନ
ପ୍ରଥମ ଗୁରୁ ସେ ଏହି ସଂସାରରେ
କୋଟି କୋଟି ତା’ଙ୍କୁ ପ୍ରଣାମ ।
ଲାଳନ ପାଳନେ ଶିକ୍ଷା ଓ ସଂସ୍କାରେ
ଗଢିଥା’ନ୍ତି ଏହି ଜୀବନ
ତ୍ୟାଗ ଓ ସ୍ନେହର ମୂର୍ତ୍ତିମନ୍ତ ରୂପ
ଶୁଝି କେ ପାରିବ ଋଣ ।
ଝଡଝଞ୍ଜା ଭରା ଜୀବନର ପଥ
ସଂଘର୍ଷରେ ପରିପୂର୍ଣ
ସଶକ୍ତ ସୁଦୃଢ କରିଥାଏ ପରା
ପିତାଙ୍କ ଅନୁଶାସନ ।
ସରସ ସୁନ୍ଦର ଗଢି ତୋଳିବାକୁ
କରନ୍ତି ଆପ୍ରାଣ ଉଦ୍ୟମ
ଆପଦେ ବିପଦେ ବାଳୁତ ଜୀବନେ
ସଶକ୍ତ ପ୍ରହରୀ ସମ ।
ଅହୋରାତ୍ର ଏକା କରିଥା’ନ୍ତି ସିଏ
ନିଜ ଜୀବନର ବଳୀଦାନେ
ସ୍ଵର୍ଗୀୟ ଆନନ୍ଦେ ଭୁଲନ୍ତି ନିଜକୁ
ପିଲାଙ୍କ ଗୌରବ ସମ୍ମାନେ ।
ଅନାବିଳ ପ୍ରେମ ସ୍ନେହ ମମତାରେ
ଜୀବନଟି ବିତିଯାଏ
ପଣତ କାନିରେ ଲୁହ ପୋଛିଦେଲେ
ସବୁ ଦୁଃଖ ଦୂର ହୁଏ ।
ସ୍ନେହ ଓ ମମତା ଜ୍ଞାନ ଆଉ କର୍ମ
ପିତାମାତାଙ୍କର ହିଁ ତ ଦାନ
ଜୀବନର ଏହି ଦୁଷ୍କର ଯାତ୍ରାକୁ
କରିଥାଏ ସନ୍ତୁଳନ ।
ତାଙ୍କରି ଆଶୀଷ ଶୁଭ ଆଶୀର୍ବାଦେ
ଦୁର୍ଗମ ପଥ ହୁଏ ସୁଗମ
କର୍ମ ଗୁରୁ ସିଏ ଶିକ୍ଷା ଦୀକ୍ଷା ଗୁରୁ
ବ୍ରହ୍ମତୁଲ୍ୟ ଅପ୍ରତିମ ।
ପିତାମାତା ସିଏ ଶରୀର ନୁହନ୍ତି
ଦିବ୍ୟରୂପର ସେ ନିଦର୍ଶନ
ଅନ୍ତର୍ଚକ୍ଷୁରେ ଦେଖିଲେ ତାହାଙ୍କୁ
ଧନ୍ୟ ହୁଏ ଏ ଜୀବନ ।
ପିତା ହିଁ ଏକ ମାତା ହିଁ ଏକ
ଅବ୍ୟକ୍ତ ରୂପରେ ବ୍ୟାପ୍ତ
ଜୀବର ଲାଳନେ ପାଳନେହୁଅନ୍ତି
ସହସ୍ର ସହସ୍ର ରୂପ ।