ବୋଉ
ବୋଉ
ମାପିପାରେ ନାହିଁ ଯାହାର ସ୍ନେହକୁ
ଅନନ୍ତ ସାଗର ତଳ |
ସ୍ନେହବୋଳା ଦୁଇ ପଦ ଯା’ର କରେ
ଅନ୍ତର୍ବହ୍ନିଜ୍ଵାଳା ଶୀତଳ ||୧||
କୋମଳ ପରଶେ ଭରିରହିଥାଏ ସତେ
ଆଶ୍ଚର୍ଯ୍ୟ ଅମୋଘ ଓଷଦ |
ଚକିତ ଚରକ-ସୁଶୃତ କିଏ ଅବା ଅଛି
ତାହାଠୁ ବଡ ଯେ ବଇଦ ||୨||
ହାତ ରୋଷେଇରେ ଯା’ର କୈବଲ୍ୟ ପ୍ରସାଦ
ଅନ୍ନେ ଅନ୍ନେ ଭରିଥାଏ ଅମୃତର ସ୍ଵାଦ ||୩||
ତା’ର ପ୍ରିୟବାଣୀ ଭରେ ସେ ଦରଦ
ଅକାଟ୍ୟ ବିଶଲ୍ୟକରଣୀ |
ପତିତପାବନ ବାନା ଲାଗେ ମତେ
ତାହାରି ପଣତ କାନି ||୪||
ସ୍ଵର୍ଗ ପାରିଜାତ ଲାଜକରେ ସେତ
ଯାହାର ମିଠା ହସରେ |
ମକରନ୍ଦ -ସୁଧା ପାନକରେ ମୁହିଁ
ତାହାରି ସ୍ମିତହାସ୍ୟରେ ||୫||
ଶିକ୍ଷାଗୁରୁ ମୋର ବାଣୀଗୁରୁ ସିଏ
କର୍ମ-ଦୀକ୍ଷା ଗୁରୁ ମୋର |
ସବୁତୀର୍ଥ ସେହି ମୋର ଚତୁର୍ଧାମ
ତାହାରି ଶ୍ରୀପଦ ପୟର ||୬||
ସ୍ନେହବୋଳା ତା’ର ଆଲିଙ୍ଗନେ ବୁଲେ
ଆନନ୍ଦେ ସରଗ ଧାମରେ |
ଚନ୍ଦନର ଟୀକା ମାଥେ ଶୋଭା ପାଏ
ତାହାରି ଚରଣ-ଧୂଳିରେ ||୭||
ଶକ୍ତି ପ୍ରେମ ସ୍ନେହ ଶ୍ରଦ୍ଧାର ଭଣ୍ଡାର
ସଂସାରେ ମିଳିବ କାହୁଁ |
ସୃଷ୍ଟି କର୍ତ୍ତ୍ରୀ ମୁକ୍ତି ଦାତ୍ରୀ
ଚିର ନମସ୍ୟା ସିଏ ଅଟେ ମୋର ବୋଉ
ସିଏ ଅଟେ ମୋର ବୋଉ ||୮||
