ଗୋଲାମ୍
ଗୋଲାମ୍
ନିଜ ଇଚ୍ଛାକୁ ଦେଇ ଜଳାଞ୍ଜଳି
କଣ୍ଢେଇ ପରି ନାଚେ
ନଥାଏ ତାର ସ୍ଵତନ୍ତ୍ରତା
ଅବା ସ୍ଵାଧୀନତା
କିଛି କରିବାର ସାମର୍ଥ୍ୟତାରେ
ତାକୁ ପରିଚାଳିତ
ନିୟନ୍ତ୍ରିତ କରେ ଅନ୍ୟ କେହି
ରିମୋଟ୍ ଧରି ହାତରେ
ଆଶା କି ଭାଷା ତାର
ରହିଥାଏ ହୃଦୟରେ ବନ୍ଦୀ
ପରିବେଶ ପରିସ୍ଥିତି ଥାଏ ଛନ୍ଦି
ଅନ୍ୟର ଇଙ୍ଗିତରେ ଜୀବନ ତମାମ
ବିନା ଆପତ୍ତିରେ ପାଳେ ହୁକୁମ
ସେ ଗୋଲାମ
ସୁଖ ଆସୁ ଦୁଃଖ ଆସୁ
ଯାହା ବି ସମସ୍ୟା ଆସୁ ତା ପାଶେ
ସହିବାକୁ ହୁଏ ବାଧ୍ୟ
ମାଲିକର ସେ ପାଳିତ ପଶୁ ପରି
ବନ୍ଧା ଥାଏ ପଘାରେ
ସମୟକୁ ଅପେକ୍ଷା କରିଥାଏ
ଭୋକ ଶୋଷରେ
ଖାଇବି ପାରେନା ଜିଇଁବାକୁ
ନିଜ ସୁବିଧା ଅନୁସାରେ
ପ୍ରତି କଥାରେ ମୁନିବର ମନ ରଖି
କରୁଥାଏ ଶହେ ସଲାମ
ସେ ଗୋଲାମ
ଯେତେ ତାର ବୁଦ୍ଧି ବିବେକ ଥାଉ
ଶାରୀରିକ ବଳ କୌଶଳ
ହୋଇଥାଏ ଅଚଳ ନିଶ୍ଚଳ
ମନ ବୋଲି ତାର କିଛି ନଥାଏ
ପରାଧୀନ ହୋଇ ରହେ
ମନେ ମନେ ମନ ବିଦ୍ରୋହ
କରି ଉଠେ ସହସ୍ରବାର
ପାଏ କିନ୍ତୁ ଆଘାତ ପରେ ଆଘାତ
କ୍ଷତ ବିକ୍ଷତ ହୋଇ ହୁଏ ଲହୁଲୁହାଣ
ନିଜେ ନିଜର ସେ ଯନ୍ତ୍ରଣା ଜର୍ଜରିତ
ଜୀବନ୍ତ ଘାଆରେ ଲଗାଏ
ସାନ୍ତ୍ଵନାର ମଲମ
କାହିଁକି ନା ସେ ଗୋଲାମ।