STORYMIRROR

Upendra prasad Mahala

Abstract Classics Inspirational

4  

Upendra prasad Mahala

Abstract Classics Inspirational

ଗୋଧୂଳିରେ ବୃକ୍ଷ ଦର୍ଶନ

ଗୋଧୂଳିରେ ବୃକ୍ଷ ଦର୍ଶନ

1 min
245

ନୀଳ ପାହାଡ଼ ସେପାଖେ ଅସ୍ତଗାମୀ
ସୂର୍ଯ୍ୟଙ୍କ କ୍ଳାନ୍ତ ଲୋହିତ ଅରୁଣିମା
ଗୋଧୂଳି ରଂଗରେ ବିଭୂଷିତମୟ
ସସାଗର ଧରା ଓ ମୁକୁଳା ଆକାଶ।
ପ୍ରଖର ନଈ ସୁଅରେ ଚହଟୁଥାଏ
ସୂର୍ଯ୍ୟଙ୍କ ପ୍ରତିଛାୟା, ନୀଡଫେରା 
ପକ୍ଷୀଙ୍କ ଡେଣାର ଧୂସର ଛାଇ ।
ସମୟର କାନଭାସରେ ଯେମିତି
କେହି ବିସ୍ମୟ ଚିତ୍ରକର ଆଙ୍କିଛି 
ଜୀବନ ଦର୍ଶନ ରୂପାନ୍ତରଣ ଛବି !

ନଈକୂଳରେ ସୁଅ ଆଡକୁ ଢଳି 
ସମୟକୁ ଅପଲକ ଦୃଷ୍ଟିରେ ଚାହିଁ
ଥିବା ବୟସ୍କ ବୃକ୍ଷଟିକୁ ଦେଖ !
ଡାଳ କେନାରେ କଅଁଳିଥିବା
ଆଶାର ନବପଲ୍ଲବ ସ୍ବର୍ଗୀୟ
ଗୋଧୂଳି ଆଭାରେ ବିଭୂଷିତ ।
ଜୀବନର ଶେଷ ମୁହୂର୍ତ୍ତ ଯାଏ 
ହସିହସି ଜିଇବାର ଆସ୍ପୃହା !
ବୃକ୍ଷକୁ ଅଜଣା ନାହିଁ ଲହଲହ
ଜ୍ବିହାଟେ ଚାଟୁଛି ପାଦତଳ ମାଟି
ସୁଅ ମୁହଁକୁ ଖସିପଡୁଛି ଅତଡା।
ନା ଅଛି ମନରେ ଭୟ ନା ବିଷାଦ
ଆତ୍ମଚେତନା ଓ ବିଶ୍ବାସ ଶକ୍ତିରେ
ପୂର୍ଣ୍ଣ ସମାହିତ ଓ ପ୍ରାଣବନ୍ତ ।

ବୃକ୍ଷ ପ୍ରକୃତିର ଏକ ଶାଶ୍ବତ ଅଂଶ
ଆଭ୍ୟନ୍ତରୀଣ ପୃଥିବୀ ଓ ଆକାଶକୁ 
ଯୋଡି ବିଶ୍ବଚେତନାର ବାର୍ତ୍ତା ଆଣେ
ସଂସାରକୁ ଅଜାଡି ଦିଏ ଫୁଲଫଳ,
ବିଷ ବାଷ୍ପକୁ ଶୋଷି ଦିଏ ଅମ୍ଳଜାନ, 
ନଈକୁ ଦିଏ ଶାନ୍ତିର ଛାଇ, ସୁଅରେ
ଫୁଲପତ୍ର ଭସାଇ କରେ ବିଭୂଷିତ ।
ବୃକ୍ଷ ଡାଳରୁ ଖସି ପଡିଥିବା ଶୁଖିଲା 
ପତ୍ରଟିକୁ ଆଶ୍ରା କରି ପିମ୍ପୁଡିଟିଏ
ବି ଆଶାରେ ନଈ ପହଁରିଯାଏ। 

ବୃକ୍ଷ ଶିଖାଏ ଜୀବନର ପରମ ସତ୍ୟ 
ସଂସାରକୁ କିଛି ଦାନ ଦେଇଯିବାରେ 
ମିଳେ ସଫଳତା ଓ ପରିପୂର୍ଣ୍ଣତା।
ଗୋଧୂଳି ସମୟର ଶେଷ ସୀମା 
ନୁହେଁ, ପ୍ରେମର ରଂଗ ବୁଣିଯାଏ 
ସ୍ବପ୍ନକୁ ସଜାଇ ରଖିବା ସକାଶେ 
ସଂଘର୍ଷପୂର୍ଣ୍ଣ ନୂଆ ସକାଳ ଲାଗି ।
ଏକାକୀତ୍ବ, ଶୂନ୍ୟତା ହିଁ ବିଫଳତା
ଜୀବନର ମାପକାଠି ନୁହେଁ !!
ଗଛ ଡାଳରେ ଝୁଲୁଥିବା ଦୋଳି ଭଳି
ଜୀବନ ଆଶା, ବିଶ୍ବାସର ଦୋଳନ  
ଆକାଶକୁ ଛୁଇଁ ପୁଣି ମାଟିକୁ ଖସେ 
ସର୍ବଦା ଜାଗିବାକୁ ପ୍ରେରଣା ଦିଏ ।
ବୃକ୍ଷର ଦେହରେ ଅଦୃଶ୍ୟ ନଈଟେ
ଅହରହ ବୋହୁଥାଏ, ଜୀବନର
ଶେଷ ଘଡି ଯାଏ, ଜଳୀୟ ଵାଷ୍ପ 
ଆକାଶକୁ ଦିଏ, ମେଘ ହୋଇ 
ବର୍ଷିବାକୁ ଶୁଖିଲା ମାଟିରେ ।

*******


Rate this content
Log in

Similar oriya poem from Abstract