ଗୋଧୂଳି
ଗୋଧୂଳି
ଦିବସର ପରିଶେଷେ
କ୍ଳାନ୍ତ ଅବସନ୍ନ ରବି ଶେଷେ
ଦିଗବଳୟେ ଥକାମାରି ବସେ
ନାହିଁ ତାର ମଧ୍ୟାହ୍ନର ତେଜ
ସନ୍ଧ୍ୟାର ଶାନ୍ତ କାନ୍ତ ଶେଯ
ହସିଉଠେ ପଡି ଆଲୋକର ସୁନେଲି ମୂରୁଜ
କର୍ମମୟ ଜୀବନରେ
କର୍ମଜୀବି ଚଳେ ଘରେ
ମିଳିବାକୁ ପ୍ରିୟ ପରିଜନଙ୍କ ସାଥିରେ
ଆମ ଗାଆଁମୁଣ୍ଡ ବରଗଛ
ଫାଟିପଡେ ପକ୍ଷୀଙ୍କ କାକଳୀରେ
ପକ୍ଷୀଦଳ ଫେରି ଆସନ୍ତେ ନିଡରେ
ଗାଈପଲ ହମ୍ବା ରଡିରେ
ଉଛୁଳଇ ଗାଆଁ ଦାଣ୍ଡ ପୁଣି ଥରେ
କି ସୁନ୍ଦର ଦିଶେ ଆହା ଉଡନ୍ତା ଧୂଳିକଣା ରବିକରେ
ଆନନ୍ଦର ଲହରୀରେ
ହସିଉଠେ ପୁଣିଥରେ
ପରିବାର ପ୍ରିୟପରିଜନ ସଭିଙ୍କର ପୁନର୍ମିଳନରେ
ପ୍ରତିଟି ଘର ଅଗଣାରେ
ଅବଗୁଣ୍ଠନବତୀ ବୋହୁଟି ଚଉରାମୂଳରେ
ସଞ୍ଜବତୀ ଜାଳିଦେଇଯାଏ ସନ୍ଧ୍ୟାର ଏ ମହାର୍ଘ୍ୟ ବେଳାରେ
ଦୀପର ସଳିତା ଶିଖାରେ
ଜଳିଯାଏ ସବୁ ଦୁଃଖ ଅବସାଦ ଧିରେ ଧିରେ
ଆଣିଦିଏ ଅଫୂରନ୍ତ ଖୁସି ବଧୂଟିର କର୍ମମୟ ଜୀବନରେ
ଶୁଭେ ମନ୍ଦିର ଭିତରେ
ମୁଖରିତ ଘଣ୍ଟ ଘଣ୍ଟି ଧ୍ବନୀରେ
ସୃଷ୍ଟ ଭକ୍ତିପରିବେଶ ସାନ୍ଧ୍ୟ ଆଳତିର ମହାର୍ଘ୍ୟ ବେଳାରେ
ମସଜିଦ ନମାଜ ପାଠରେ
ଆଲ୍ଲା ହୋ ଆକବର ଧ୍ବନୀରେ
ମୁଖରିତ କରେ ଚତୁର୍ଦ୍ଦିଗ ଭକ୍ତିମୟ ସାନ୍ଧ୍ୟପରିବେଶରେ
ବାଜିଉଠେ ଘଣ୍ଟି ଗୀର୍ଜାରେ
ସମବେତ ନରନାରୀ ଦିବସ ଶେଷରେ
ଭକ୍ତିପୂତ କୃତଜ୍ଞତା ଦିଅନ୍ତି ପରମପିତା ପ୍ରଭୁ ଯୀଶୁଙ୍କଠାରେ
ସର୍ବ ଧର୍ମ ସମନ୍ବିତ ଭାରତ ବର୍ଷରେ
ସହର ନଗର ପୁରପଲ୍ଲୀ ସକଳ ସ୍ଥାନରେ
ଗୋଧୂଳିପର ସଞ୍ଜବେଳ ଭକ୍ତିମୟ ପରିବେଶ ସୃଷ୍ଟି କରେ
ଆମ ଘରପଛ ବାଡିରେ
ଶରତର ବିମଳ ସନ୍ଧ୍ୟାରେ
ବାସ୍ନାୟିତ ହୁଏ ଚତୁର୍ଦ୍ଦିଗ ଶେଫାଳୀ ଫୁଲର ମହକରେ
ଆମ ଗାଆଁ ପୋଖରୀରେ
କଇଁଫୁଲ ଆଖିଖୋଲି ହସେ ଆନନ୍ଦରେ
ଆକାଶରେ ହସୁଥିବା ନିଶାକର ଶିତଳ ଜ୍ୟୋତ୍ସ୍ନା ପରଶରେ
ସଞ୍ଜବେଳ ଅତିକ୍ରାନ୍ତ ହୁଏ ଧିରେ
ଶଶୀ ହସେ ତାରାମେଳେ ବିମଳ ଆକାଶରେ
ନିଶି କ୍ରମେ ଆସେ ଧରା ହସେ ନିଶାକର ଶୀତଳ ଜ୍ୟୋତ୍ସାରେ
