ଗଣେଶଙ୍କ ଅଭିମାନ
ଗଣେଶଙ୍କ ଅଭିମାନ
ସମସ୍ତ ଦେବତା ଙ୍କର ମୁଁହି ଅଟେ ଇଶ
ସେଇଥିଲାଗି ମୋହର ନାମଟି ଗଣେଶ ।
ପୂଜା ପାଉ ଅଛି ସିନା ସମାଜେ ଆଦରେ
ମନେ ମୋର ଯେଉଁ ଦୁଃଖ କହିଲେ ନସରେ ।
ଜନମ କଥା ଭାବିଲେ କାନ୍ଦେ ମୁଁ ଅନ୍ତରେ
କିପରି ମୁଁ ଜନମିଲି ଜାଣେନା ବିଧିରେ ।
ଜନମ ହୋଇ ବଢ଼ିଲି ମାଆ ର କୋଳରେ
କହିଲେନି ପିତା କଥା ମାଆ ସେ କାଳରେ ।
ଜାଣି ଥାନ୍ତି ମୁଁହି ଯଦି ଶିବଙ୍କ ନନ୍ଦନ
କାହିଁକି ପିତା ଙ୍କ ସହ କରିଥାନ୍ତି ରଣ ।
ମୋତେ ଯଦି ଜାଣିଥାନ୍ତେ ମୋର ଶିବ ପିତା
କାହିଁକି ହୋଇଥାନ୍ତେ ସେ ଆଜି ପୁତ୍ର ହନ୍ତା ।
କରମରେ ଥିଲା ବୋଲି ପାଇଲି ଜୀବନ
ହସ୍ତୀ ଶିର ଲାଗି ନାମ ହେଲା ଗଜାନନ ।
ମୋ ଜନ୍ମ ଉତ୍ସବ ସବୁ ପାଳନ୍ତି ଧରାରେ
ଜାଣି ପାରେନା ମୋ ଖୁସି ଅଛି କି ସେଥିରେ ।
ଜ୍ଞାନ ଓ ବୁଦ୍ଧି ଆଶାରେ ମୋତେ ପୂଜୁଥାନ୍ତି,
ମୋଠୁ ପାଇଥିବା ଗୁଣ କାମେ ନ ଲଗାନ୍ତି |
ସବୁ କର୍ମ ଆରମ୍ଭରେ ମୋ ନାମ ଉଚ୍ଚାରି,
କାମ ସରିଗଲେ କିନ୍ତୁ ଦିଅନ୍ତି ପାସୋରି |
ମୋ ପିତା ମାତାଙ୍କୁ ମୁହିଁ ସ୍ୱର୍ଗ ବୋଲି ମଣେ,
ମୋ ଭକ୍ତ ସେ, ଯିଏ ଚାଲେ ମୋ ଅନୁସରଣେ |
ଅଗ୍ର ପୂଜ୍ୟ ବୋଲି ମୋତେ ସବୁ ପୂଜା ଆଗେ,
ଇଚ୍ଛା ନ ଥିଲେ ବି ପୂଜୁଥାନ୍ତି ଅନୁରାଗେ |
ଶୁଣ ମୋର ଭକ୍ତ ଜନ, ଶୁଣ ହେ ପୂଜାରୀ,
ସୁକର୍ମ କରହେ, ଅନିଚ୍ଛା ମୋ ପୂଜା ଛାଡି |
ପିତାମାତା ଆଦେଶକୁ ପାଳନ ଯେ କରେ,
ସନ୍ତୁଷ୍ଟ କରଇ ସଦା ତାଙ୍କୁ ମାନି ଚଳେ |
ସେମିତି ଜନଙ୍କ ପାଶେ ସଦା ମୁହିଁ ଥାଏ,
ତା ପୂଜାରେ ଖୁସି ହୋଇ ମନ ଗର୍ବ ବହେ |
ସେ ହିଁ ମୋ ଆଶିଷର ଅଟେ ଯେ ସୁପାତ୍ର,
ତାହାର ଜନମ ଅଟେ ଜଗତେ ବିଖ୍ୟାତ |