ଗଣେଶ ଆମର ବୁଦ୍ଧିଆ ପିଲା
ଗଣେଶ ଆମର ବୁଦ୍ଧିଆ ପିଲା
ମାଆ ତୁମ କୋଳେ ଧରିଛ ମୋତେ,
ଗଣେଶ ଖେଳୁଛି ମୂଷିକ ସାଥେ ।
ଏ କୈଳାସ କ୍ଷେତ୍ର ଅତି ସୁନ୍ଦର,
ହିମରେ ଶୋଭିତ ଗିରିକନ୍ଦର ।
ମୟୂର ନାଚୁଛି ସେଠି;
ଭକ୍ତ ଡାକିଲାରୁ ପିତା ଯାଇଛନ୍ତି
ତପସ୍ୟାରୁ ଏବେ ଉଠି ।
ଗଣେଶ ଆମର ବୁଦ୍ଧିଆ ପିଲା,
ସାନ ଯେଣୁ ସିଏ ସବୁରି ଗେହ୍ଲା ।
କେତେ ବିଦ୍ୟା ଅଛି ତା' ଠାରେ ପୂରି,
ଜ୍ଞାନ ଗୁଣରେ କେ ହୋଇବ ସରି !!
ଖେଳିଲେ ତା' ସାଥେ ମିଶି;
ସବୁ ଥର ସିଏ ଆପେ ଜିତିଯାଇ
ତାଳିମାରେ ହସି ହସି ।
ଯଦି କେଉଁ କଥା ପାରେନା ବୁଝି,
ଗଣେଶଠୁଁ ପାଏ ଉତ୍ତର ଖୋଜି ।
ସାନଭାଇଟା ମୋ କେଡ଼େ ବୁଦ୍ଧିଆ,
ସାରା ସଂସାରକୁ ବାଣ୍ଟେ ବିଦିଆ ।
ଲାଗେ ମୋତେ ଭାରି ଭଲ;
ମୋଦକ ତା' ଲାଗି ତିଆରିକି ମାଆ
ଖୁଆଇବ କରି ଗେଲ ।
