STORYMIRROR

Kabiratna Nutan Kumar Behera

Drama Classics Inspirational

4  

Kabiratna Nutan Kumar Behera

Drama Classics Inspirational

ଘୁଙ୍ଗୁର ବାନ୍ଧିଲି ପାଦରେ ମୋର

ଘୁଙ୍ଗୁର ବାନ୍ଧିଲି ପାଦରେ ମୋର

1 min
395


ବଜାଇ ବଇଁଶୀ ହେ ବଂଶୀଧର

ଛନ୍ଦେ ତାଳେ ତୋଳ ସ୍ଵର ଝଙ୍କାର, 

ଘୁଙ୍ଗୁର ବାନ୍ଧିଲି ପାଦରେ ମୋର

ଦେବଦାସୀ ହେବି କଳାଠାକୁର,

      ଆଗରେ ତୁମର

ନାଚୁଥିବି ପ୍ରଭୁ ହୋଇ ବିଭୋର।


ତୁମେ ତ ନାଟୁଆ ନଟ ନାଗର

ନଚାଉଛ ତୁମେ ସାରା ସଂସାର,

ହାତରେ ଧରିଛ ଜୀବନ ଡୋର

ଚକା ନୟନରେ ଚାହିଁ କି ଠାର ,

     ଝରେ ସୁଧା ଝର 

ବାଙ୍କ ଚାହାଣୀରେ ମୋହିତ କର ।


ବାଜେ ତୁମ ବଂଶୀ କମ୍ପେ ତ୍ରିପୁର

ରାଗ ରାଗିଣୀରେ ଯାଦୁ ମନ୍ତ୍ର, 

ନାଚନ୍ତି ଦେବତା ଦାନବ ନର

ସବୁରି ନାଚକୁ ଦିଅ ନଜର,

    ତାଳ ଲୟ ତା'ର

କରେ କେ ବେତାଳ ରଖ ଖବର।


ତୁମେ ପ୍ରଭୁ ସତ୍ୟ ଶିବ ସୁନ୍ଦର

ସାରା ଜଗତର ତୁମେ ଆଧାର,

ତୁମରି ଇଚ୍ଛାରେ ନାଚେ ସାଗର

ବୁଡ଼ିଗଲେ ତୁମେ କର ଉଦ୍ଧାର, 

     ମହିମା ଅପାର

ତୁମେ ଦୟାମୟ କରୁଣାକର।


ଦେଇଛ ଜନମ କରି ବିଚାର

ତୁମଠାରେ ରହୁ ଭକତି ମୋର,

ତୁମ ବଂଶୀସ୍ଵରେ ମୁଁ ନିରନ୍ତର

ନାଚୁଥିବି ପ୍ରଭୁ ଗାଇ ମଧୁର,

      ଆଜ୍ଞାରେ ତୁମର

ମୋ ଆଶା ସପନ ହେଉ ସାକାର।


ଜୀବନେ ଜଞ୍ଜାଳ ଘାରୁଛି ଘୋର 

ଚାରିଦିଗ ଦିଶେ ଖାଲି ଅନ୍ଧାର,

ମ୍ରିୟମାଣ ହୁଏ ଦୁଃଖରେ ତା'ର

ଭବ ଭୟରୁ ମୋତେ ରକ୍ଷାକର,

      ତୁମେ ହରି ହର

ଦୁଃଖ ଅଛି ଯେତେ କର ହେ ଦୂର।


ଦେବଦାସୀ ପରି ହେବି ତୁମର 

ଭକତିରେ ଶୁଦ୍ଧ କରି ଅନ୍ତର, 

ବଂଶୀସ୍ଵରେ ହୁଏ ପ୍ରାଣ ସଞ୍ଚାର

ବିପଦୁ ଆପଦୁ ପାଏ ନିସ୍ତାର,

    ତୁମେ ସୃଷ୍ଟିଧର

କର୍ମର ନୃତ୍ୟରେ କର ନିଜର।


ଜଗତରେ ତୁମେ ବଡ଼ଠାକୁର

ଦୁଃଖର ଶତ୍ରୁକୁ କର ସଂହାର,

ସଂସାରେ ସଂପର୍କ ରହୁ ମଧୁର

ସଭିଏଁ ହୁଅନ୍ତୁ ମୋ ଆପଣାର

     କରୁଛି ଜୁହାର

ସାହା ହୁଅ ପ୍ରଭୁ ଜୀବନେ ମୋର।

  

















ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama