ଘର
ଘର
ପଥର ହେଉ କି ଇଟା ବା ମାଟିର
ବଡ଼ କିମ୍ବା ଅତି ସାନ
କଟିଛି ଯେଉଁଠି ପିଲାବେଳ ସହ
କେତେ ଅପାଶୋରା ଦିନ।
ବାପା,ବୋଉ ଜ୍ଞାତି କୁଟୁମ୍ବଙ୍କ ସାଥେ
ଗାଈ, ବିଲେଇ, କୁକୁର
ଛେଳି, ମେଣ୍ଢାଙ୍କର ଆଶ୍ରୟସ୍ଥଳୀ ବି
ଲାଗେ କେତେ ଆପଣାର।
ସୁଖ, ଦୁଃଖ,ରୋଷ,ମାନ, ଅଭିମାନ
ସବୁରି ସେ ମୂକ ସାକ୍ଷୀ
ଘର ଦେଖେ ପୁଣି କେତେ ମୁହଁଫୁଲା
ଗହ୍ମା ପୁନେଇଁର ରାକ୍ଷୀ।
କେତେ ଓଷା,ବ୍ରତ,ମେଳା,ମଉଚ୍ଛବ
ଦେଖି ଦୋଳ ବିମାନକୁ
ଲାଗଇ ବୈକୁଣ୍ଠ ଆସିଛି ଓହ୍ଲାଇ
ଆମ ଘର ଅଗଣାକୁ।
ଏବେ କିନ୍ତୁ ରୂପ ଯାଇଛି ବଦଳି
ଜରାଜୀର୍ଣ୍ଣ ହେଲାପରେ
ନାହିଁ ଆଉ ସେତେ ଗହଳଚହଳ
ଆଜି ଯେ ଯାହା ବାଟରେ।
ସହରୀ ସଭ୍ୟତା ଚାକିରୀ କ୍ଷେତ୍ରରେ
ନୂଆ ସାଙ୍ଗସାଥୀ ମେଳ
ଭଡ଼ା ଘର ନିଏ ନିଜ ଘର ସ୍ଥାନ
ସମୟର ସବୁ ଖେଳ।
ଚାଷବାସ,ଗୋପାଳନ ଗଲା କେଣେ
ମୋବାଇଲ ଦେଖା ସାର
ସାହି ପଡିଶା ବି ଲାଗନ୍ତି ଅଚିହ୍ନା
ସମ୍ପର୍କ ପାଣିର ଗାର।
ଆକାଶଛୁଆଁ ଯେ ସବୁ ଦରଦାମ
ପନିପରିବାସହିତ
ଘର ଅଗଣାରେ କଖାରୁ, କାକୁଡି
ଜହ୍ନି କି ଭେଣ୍ଡି ନାହିଁ ତ।
ନଡିଆ,ଗୁଆ କି ଆମ୍ବ ,ବରକୋଳି
ତେନ୍ତୁଳି,ମହୁଲ ଗଛ
ହୋଇଲାଣି କଟା ଚାକୁଣ୍ଡା, ଗମ୍ଭାରୀ
ଖାଲି ଲାଗେ ଘର ପଛ।
ଅଗଣାରେ କେତେ ଫୁଟୁଥିଲା ନିତି
ଟଗର, ମନ୍ଦାର, ମଲ୍ଲୀ
ଶୋ ଗଛ ନେଲା ସେ ସବୁର ସ୍ଥାନ
ଅଛି କଣ୍ଟା ଗଛ ଖାଲି।
ଭାଗବତ ପାଠ ସଞ୍ଜ ସକାଳେ
ନ ଶୁଣିଲା ଆଉ କାନ
ଯନ୍ତ୍ର ସଙ୍ଗୀତର ବଢିଲା ପ୍ରଭାବ
ଛୁଏଁ ଯେ ସବୁରି ମନ।
ଯାନ୍ତ୍ରିକ ସଭ୍ୟତା,ସହରୀ ଜୀବନ
ନିଶ୍ଚେ ଅଟଇ ଉତ୍ତମ
ତା' ସହିତ ଲୋଡା ଭାଇଚାରା ପଣ
ଯାହା ଅଟେ ସର୍ବୋତ୍ତମ।
ଘରକୁ ନେଇ ତ ଗଢା ଗାଆଁ ଗଣ୍ଡା
ସହର ଅବା ପ୍ରଦେଶ
ଜିଲ୍ଲା, ରାଜ୍ୟ,ଦେଶ, ମହାଦେଶର ଯେ
ଅଟେ ସେ ଏକକ ଅଂଶ ।
ଉଜୁଡ଼ିଲେ ଘର ବୁଡିବ ସଂସାର
ଏ କଥା ମନରେ ହେଜ
ଘରର ଉନ୍ନତି ସହିତ ଜଡ଼ିତ
ସାରା ପୃଥିବୀର କାର୍ଯ୍ୟ।