ମନ୍ଦିରେ ନୁହେଁ ମନରେ
ମନ୍ଦିରେ ନୁହେଁ ମନରେ
ଘରକୁ ତୁମେ ବରଣ କରିଥିବା
ଦେବୀଙ୍କ ସୁନ୍ଦର ପ୍ରତିମାଟିଏ,
ବାମ ପାଦ ଥାପିଥିଲା ସିଏ
ଯେଉଁଦିନ ତୁମ ଘର ଅଗଣାରେ,
ଚମକି ଉଠିଥିଲା ତୁମ ଘର
ଅର୍କ ସମ ତାର ଅଦ୍ଭୁତ ତେଜରେ।
ଜୀବନ୍ତ ଥିଲା ସେ ମୂର୍ତ୍ତି
ହସୁଥିଲା କଥା ବି କହୁଥିଲା।
ତାର ପାଦ ଚାଲୁଥିଲା.. ଦୌଡୁଥିଲା,
ତାର ହାତ କାମ କରୁଥିଲା,
ଏକ ସଙ୍ଗେ ଦଶଭୁଜା ପରି।
ସେ ଅନ୍ନପୂର୍ଣ୍ଣା ସାଜି
ପରଷି ଦେଉଥିଲା ଅନ୍ନ।
ମହାଲକ୍ଷ୍ମୀ ହୋଇ ସେ
ସମ୍ଭାଳୁ ଥିଲା କୁଟୁମ୍ବ।
ସରସ୍ଵତୀ ହେଇ ପୁଣି
ପିଲାଙ୍କୁ ପାଠ ପଢ଼ାଉଥିଲା।
ଦୁର୍ଗା ସାଜି ବିପଦର
ସାମନା କରୁଥିଲା।
କାଳୀ, ଚଣ୍ଡି ଖଡ୍ଗ ଧରି
ଶତୃ ସଂହାରୁ ଥିଲା।
ତାର ପୂଜା କରିବା
କିଛି ଦରକାର ନାହିଁ।
ସ୍ତ୍ରୀ ଭାବରେ ତାକୁ
ଟିକେ ସମ୍ମାନ କର।
ମନ୍ଦିରରେ ନୁହେଁ
ମନରେ ତାକୁ ବସାଅ।