STORYMIRROR

Shiba Charan Mahapatra

Classics Inspirational

3  

Shiba Charan Mahapatra

Classics Inspirational

ଘର

ଘର

1 min
19


ଘରର ଘରଟିଏ ଥାଏ ହୃଦୟଟେ ଥାଏ

କିଂତୁ 

ସେଠି ଆଉ ଘର ନାହିଁ 

ଅହଂକାରି ଦାନବଟେ ମୁଣ୍ଡ ଟେକି ଠିଆ , 

ଆଣ୍ଠୁମାଡ଼ି ଅର୍ଦ୍ଧମୃତ ପ୍ରାୟ ପଡିଅଛି

ଉଇହୁଙ୍କା ଖିଆ ସ୍ୱାଭିମାନୀ ମାଟି ଖଣ୍ଡେ ଯାହା..!!


ଜରାଜୀର୍ଣ ଶରୀରେ ତା'ର

ଅସଞ୍ଜତ 

ଅଲରା କେଶ ପରି ଛପର

ଶୁଖିଲା ଫଟା ଓଠ ଭଳି କାନ୍ଥ

ଲାଉ ଡଙ୍କରେ ପେନ୍ଥା ପେନ୍ଥା ଶୂନ୍ୟତା

ରଙ୍ଗହୀନ ବୟସର ଛାପ

ଝୁଲୁଛନ୍ତି ବେତାଳ ସାଜି ଘର ଚାରିପାଖ..!!


ପିଣ୍ଡା ଚୂଲିର ଦ୍ୱିମୁହେଁ ଅଧା ଆୟୁଷ ଅଧା ପାଉଁଶ

କୁରୁଳାଏ ଛାତି କୋହ 

ଦରସିଝା ବୁଝାମଣା ଭିତରେ ସିଟି ଛାଡୁଛି ପ୍ରେସରକୁକର୍ 

ଆକାଶକୁ ଉଠିଲାଣି ଆପଣାପଣ ,

କାଇଁ କେଉଁଠି ତ ନାହିଁ ଆଶୀର୍ବାଦ..!?

ନା ଏବେ ସେଠି ଆଉ ଘର ନାହିଁ..!!


କାଲି ସେଠି ଘରଟିଏ ଥିଲା

ପୋଡପିଠା ଭଳି ଭାଗବଣ୍ଟା ହେଉଥିଲା ଦାରିଦ୍ର୍ଯତା

ଅପୂର୍ଣ୍ଣତାର କାହାଣୀ ଫର୍ଦ୍ଦରେ 

ପୂର୍ଣ୍ଣ ଥିଲା ସେନେହ ମମତା

ସାତସିଆଁ ମସିଣା ସ୍ମିତହାସ୍ୟରେ

ଗୋଧୂଳି ଭଳି ଝରିପଡୁଥିଲା ବେଦନା 

ଅନୁରାଗେ ଆଲଙ୍ଗି ନେଉଥିଲା

ଦଉଡିଆ ଖଟ

ସାରା ଦିନ ଶରୀରର ଅବଶ ଯନ୍ତ୍ରଣା..!!


ହେଲେ କିଏ ଜାଣିଥିଲା 

ଘର ବି ଭୋଗିପାରେ ବାର୍ଦ୍ଧକ୍ୟ 

ସାଜିପାରେ କାନ୍ଥଟଙ୍ଗା ଫଟୋ..!?

ସେ ବି ଛାଡିଯାଇପାରେ

ଚଳପ୍ରଚଳ ସ୍ମୃତିର ବେଦରଦି କୁହାଟ..!!


କିଏ ଜାଣିଥିଲା 

ଘର ପାଇଁ ଲୋଡାହୁଏ ଘର

ଖୋଜାହୁଏ ଆତ୍ମିୟ ସ୍ୱଜନ..!?

ଜଣା ନାହିଁ ବୋଲି ଦେଖ

ଘର ଭାଙ୍ଗି 

ଏସହରେ ହେଉଥାଏ କେତେ ଘର ଗଢା..!!


କିଏ ବା ଜାଣୁଛି

ଘର ପାଖେ ଥାଏ ନିଜସ୍ଵ ଷ୍ପନ୍ଦିତ ଭାବନା 

ଆପଣା ଆକାଶ  

ଝରେ ନିତି ତହିଁ ପ୍ରିତିର ଜୋଛନା 

ଘର ହିଁ ବୁଣିପାରେ ମଧୂର ମୂର୍ଚ୍ଛନା 

ଘର ପୁଣି ଦେଇପାରେ ଶାନ୍ତି ଅକଳନା 

କିନ୍ତୁ ଏବେ ଘରେ ଆଉ ସେ ଘର ନାହିଁ

ଘର ଭିତର ମଣିଷଟି ନାହିଁ ହୃଦୟଟି ନାହିଁ..!!


ତେବେ କଣ କହୁଛ 

ଚାଲ ଆମେ ଘରଟେ ତୋଳିବା..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics