ଘର ମୋର ସ୍ବର୍ଗ
ଘର ମୋର ସ୍ବର୍ଗ
ନିଜ ଘର ମୋତେ ଲାଗଇ ସୁନ୍ଦର
ସରଗର ସ୍ବର୍ଗପୂରୀ ।
ରୁହନ୍ତି ଏଇଠି ସଭିଏଁ ଏକାଠି
ସ୍ନେହ ମମତା ଆଦରି ।।
ନିଜ ଘରୁ ଶିକ୍ଷା ସଂସ୍କାର ପାଇଛି
ପାଇଛି ଭଲପାଇବା ।
ମା ବାପାଙ୍କ ଠାରୁ ଚାଲିବା ଶିଖିଛି
ଶିଖିଛି ମୁଁ ସତ କହିବା ।।
ବଡ ସୁଆଦିଆ ମା ହାତ ରନ୍ଧା
ହେଉ ପଛେ ଶାଗ ପଖାଳ ।
ମା କୋଳରେ ଟିକେ ମୁଣ୍ଡ ରଖିଦେଲେ
ନିଦ ଆସିଯାଏ ଚଞ୍ଚଳ ।।
ସଦା ଦିଏ ବଡ କଥାକୁ ଗୁରୁତ୍ବ
ମାନଇ ତାଙ୍କ ଉପଦେଶ ।
ତାଙ୍କ ଆଶୀର୍ବାଦ ଆମ ଉପରେ ରହିଲେ
ଆସେ ନାହିଁ କିଛି ବିପଦ ।।
କରେ ନାହିଁ କଳି ନିଜ ମଧ୍ୟେ କେବେ
ମିଳିମିଶି କାମ କରଇ ।
ଯଦି କେଉଁ କାର୍ଯ୍ୟ କରିବାକୁ ଅଛି
ବଡ କଥାକୁ ପ୍ରାଧାନ୍ୟ ଦିଅଇ ।।
ବିପଦ ଆପଦେ ଭାଙ୍ଗି ନଯାଇ
ଶିଖିଛି ଏକାଠି ରହିବା ।
ପରିବାର ମଧ୍ୟେ ଭଲବୁଝାମଣା ଥିଲେ
ତାକୁହିଁ ଘର କହିବା ।।
ଘର ଦରବଟି ଲାଗେ ଆପଣାର
ହେଉ ପଛେ ଭଙ୍ଗା ଦଦରା ।
ବହୁ ସ୍ମୃତିର ମୁକସାକ୍ଷୀ ସେହି ଥିଲେ
ଲାଗେ ନିଜର କେହି ଅଛନ୍ତି ପରା ।।