ଘନ କାଳିଆକୁ ମନ
ଘନ କାଳିଆକୁ ମନ
ଶଙ୍ଖନାଭି କ୍ଷେତ୍ରେ ନୀଳାଚଳ ଧାମେ
ନବ ନୀଳଦ ବରଣ
ତାର ଦରଶନେ ଏ ମନ ବ୍ୟାକୁଳ
ଘନ କାଳିଆ କୁ ମନ ।
ତା ଆଖିରେ ଉଭା ସୂର୍ଯ୍ୟ, ଚନ୍ଦ୍ର, ପୃଥ୍ଵୀ
କଳାରେ ସେ ଷୋଳକଳା
ତା ଦେହରେ ବାସ ସର୍ବ ଦେବ ଦେବୀ
ସିଏ ମୋ ଘନ କାଳିଆ ।
ମସ୍ତକେ କିରୀଟ ପରେ ଶିଖୀ ପୁଚ୍ଛ
କି ଶୋଭା ମୋ କଳା କାହ୍ନୁ
କି ସୁନ୍ଦର ଠାଣୀ ଅପୂର୍ବ ଚାହାଣୀ
ଦୁଃଖ ହରି ନିଏ ମନୁ ।
ଅସାମଞ୍ଜସ୍ୟ ରେ ସାମଞ୍ଜସ୍ୟ ସିଏ
ମନ ମୋହନିଆ ଶ୍ୟାମ
ତା ରୂପ ମାଧୁରୀ ବିଭୋର କଲା ରେ
ଘନ କାଳିଆ ରେ ମନ ।
ତା ଲୀଳାରେ ସାରା ଜଗତ ବୁଡ଼ିଛି
ଯୁଗାଵତାର ଅଟଇ
ତୁଳସୀ ଦୟଣା ମାଳେ ସାଜି ଅଛି
ମନ କିଣି ନେଉ ଅଛି ।
ଯାତରା ପ୍ରିୟ ମୋ ଜଗତ ଠାକୁର
ସବୁ ଯୁଗ କଥା କୁହେ
ମୋ ଘନ କାଳିଆ ଭକତ ଭୋଳିଆ
ମୋ ମନ କୁ କିଣି ନିଏ ।
ଶୂନ ଅଟେ ମୁହିଁ ପୂର୍ଣ୍ଣବ୍ରହ୍ମ ସିଏ
ମନେ କରେ ବିଚରଣ
ଶରୀର ସଂସାର କର୍ମେ ଥାଏ ସିନା
ଘନ କାଳିଆରେ ମନ ।
ନୀଳ ଜୀମୂତ ଠୁ ଆହୁରି ସେ କଳା
ମନ କରଇ ହରଣ
ମାଗିବା କଥା ତ ମନୁ ପାଶୋରଇ
ଘନ କାଳିଆରେ ମନ ।
ତା ହସ ଛିଟା ରେ ମନ ଦୋହଲଇ
ତା ଗୀତ ଗୋବିନ୍ଦ ନାଦ
ମନ ପୁଲକଇ ପଦ ଛନ୍ଦ ତୋଳେ
ଘନ କାଳିଆ ରେ ମନ ।
ତା କଥା ଭାବିଲେ ଜୀବନେ ଯନ୍ତ୍ରଣା
ଛନ୍ଦ ପତନ ଘଟଇ
ଘନ କାଳିଆର ଅନୁଭବ ମନେ
ଧଇର୍ଯ୍ୟ ଯେ ବରଷଇ ।
ଘନ କଳେବର ମହୋଦଧି ଜଳ
ବଡ଼ଦାଣ୍ଡ ଅନୁପମ
ଶରଧା ବାଲିକୁ ବୋଳି ହେଉଥାଏ
ଘନ କାଳିଆ ରେ ମନ ।
ତୁଳସୀ ଦୟଣା ମାଳ ହାତେ ନେଇ
ବାଇଶି ପାହାଚେ ଯାଏ
ଘନ କଳିଆ ରେ ମନ ବାନ୍ଧି ହୋଇ
ଅଗୁରୁ ଚନ୍ଦନ ବାସେ ।
କେତେ ଯାତରା ଯେ ଶ୍ରୀକ୍ଷେତ୍ରରେ ହୁଏ
ଆନ୍ଦୋଳିତ ତନୁ ମନ
ଭିଡ଼ ଭିତରେ ଯେ ପାଦ ଟଳମଳ
ଘନ କାଳିଆ ରେ ମନ ।
ମୋ ଘନ କାଳିଆ ମୟୂର ଚୂଳିଆ
ନୀଳକାନ୍ତି ନବଘନ
ଜୀବ ଯିବା ବେଳେ ଏତିକି ମିନତି
ତୁ ଆସିବୁ ନବଘନ ।