ଘାଣ୍ଟ
ଘାଣ୍ଟ
ଆଶ୍ବିନ ମାସର କୃଷ୍ଣ ଦ୍ବିତୀୟାରେ
ଦୂତୀ ବାହନ ପଡି ଥାଏ
ଦ୍ବିତୀୟା ଓଷା ତ କହନ୍ତି କେତେକ
ଶଙ୍ଖ ଚିଲ ପୂଜା ହୁଏ ।
କିଏବା ଏହାକୁ ପୁଅ ଜିଉନ୍ତିଆ
ଓଷା ପୁଣି କହୁ ଥାଏ
ନିଷ୍ଠାର ସହିତ ଏଇ ପୂଜା ଆମ
ଓଡିଆଣୀ କରୁଥାଏ ।
ଦିନ ସାରା ସିଏ ଓପାସ ରହିଣ
ଚନ୍ଦ୍ରମାକୁ ଦେଖୁଥାଏ
ଜହ୍ନ ଆସିଗଲେ ଭକ୍ତି ଆଗ୍ରହରେ
ଓଷା କରି ଥାଏ ସିଏ ।
ଓଷା ସରିଗଲେ ସକାଳୁ ପୋଖରୀ
ଗାଧୋଇ ଯାଆନ୍ତି ସିଏ
ପୋଖରୀ ହୁଡାରେ ଶଙ୍ଖ ଚିଲ ପୂଜେ
ଓଷା ସମାପନା ହୁଏ ।
ଘରକୁ ଆସି ସେ ପରିବା କାଟନ୍ତି
ତରକାରୀ କରିଥାଏ
ଏ ତରକାରୀକୁ ଓଡିଆରେ ଘାଣ୍ଟ
ତରକାରୀ କୁହାଯାଏ ।
ଆଳୁ ,ବାଇଗଣ, ସାରୁ, କନ୍ଦମୂଳ
କଖାରୁ, କଦଳୀ, ମକା
ଖମ୍ବଆଳୁ, ଛୁଇଁ , କାଙ୍କଡ ,ପୋଟଳ
ଖଡା ହୋଇଥାଏ ପକା ।
ଅମୃତଭଣ୍ଡା, ବୁଟ ,ନଡିଆ, ଗାଜର
ମଟର ବି ପକାଯାଏ
ସବୁ ପରିବାକୁ ଏକାଠି ପକେଇ
ଘାଣ୍ଟ ତରକାରୀ ହୁଏ ।
ଏଇ ତରକାରୀ କେତେ ସ୍ବାଦ ଯିଏ
ଖାଇଥାଏ ଜାଣିଥାଏ
ସାଇ ପଡିଶାରେ ଏଇ ତରକାରୀ
ଘରେ ଘରେ ବଣ୍ଟା ଯାଏ ।
କେତେ ଯେ ଏକତା ସେନେହ ମମତା
ସେଥିରୁ ଯେ ଝରୁଥାଏ
ଏକାଠି ମିଶି ସେ ଖାଇବାର ମଜା
ଅତି ତ ନିଆରା ଥାଏ ।
କେତେ ଆତ୍ମିୟତା ନିଜର ପଣିଆ
ସତେ ଲାଗୁ ଥାଏ ସିଏ
ଏମିତି ଏ ଘାଣ୍ଟ କରେ ଆପଣାର
ଭୁଲି ବା ପାରିବ କିଏ ?
ଆମ ଏ ସଂସ୍କୃତି ଆମ ପରମ୍ପରା
ବଡ ତ ନିଆରା ହୁଏ
ଏଇ ଘାଣ୍ଟ ତରକାରୀ ଆମ ମନେ
ସମ୍ପର୍କଟି ଗଢି ଦିଏ ।
